ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ, ନ୍ୟୁଜ୍ ନର୍ଭ ||
ବାତ୍ୟା ‘ଅର୍ଣ୍ଣବ’ ସହ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଦିଗପହଣ୍ଡି ବ୍ଲକର ସମସ୍ତ ପଞ୍ଚାୟତ ଏବଂ ଦିଗପହଣ୍ଡି ଏନ୍ଏସି ଅଞ୍ଚଳରେ ଚାଷୀ ଓ ଭାଗଚାଷୀଙ୍କ କୃଷିକ୍ଷେତ୍ର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ହଜାର ହଜାର କୃଷକ ପରିବାର ଆର୍ଥିକ ଦୁର୍ଦ୍ଦଶା ସହ ଜୀବିକା ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷକ ସଭାର ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଗପହଣ୍ଡି ତହସିଲଦାରଙ୍କ ଜରିଆରେ ସାତଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ଏହି ସ୍ମାରକପତ୍ର ହସ୍ତାନ୍ତର କରାଯାଇଥିଲା।
କୃଷକ ସଭା ପକ୍ଷରୁ ଉପସ୍ଥାପିତ ସାତଦଫା ଦାବିଗୁଡ଼ିକ ହେଲା:
୧. ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ସହାୟତା ଘୋଷଣା କରାଯାଉ।
୨. ପ୍ରତ୍ୟେକ ଗ୍ରାମକୁ ଗୋଟିଏ ୟୁନିଟ୍ ଭାବେ ଗ୍ରହଣ କରି ନିରପେକ୍ଷ ସର୍ବେକ୍ଷଣ କରାଯାଇ କ୍ଷତିପୂରଣ ପ୍ରଦାନ କରାଯାଉ।
୩. ଚାଷୀ ଓ ଭାଗଚାଷୀଙ୍କ କୃଷି ଋଣ ଛାଡ଼ କରାଯାଉ।
୪. କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ସହାୟତା ଯୋଗାଇ ଦିଆଯାଉ।
୫. ଚାଷଜମି ଓ ବିଲ ମରାମତି ପାଇଁ କୃଷି ଋଣର ବ୍ୟବସ୍ଥା କରାଯାଉ।
୬. ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କେନାଲଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉ।
୭. ଆଗାମୀ ରବି ଫସଲ ପାଇଁ ଚାଷୀଙ୍କୁ ମାଗଣାରେ ବିହନ ଓ ସାର ଯୋଗାଇ ଦିଆଯାଉ।
ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ସରକାରୀ ପଦକ୍ଷେପ ଗ୍ରହଣ କରି କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀ ଓ ପନିପରିବା ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କୃଷକ ସଭା ପକ୍ଷରୁ ନିବେଦନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କୁରେଶୁ ପଣ୍ଡା, ପି. ଶିବ ଶଙ୍କର, ସୁଶାନ୍ତ କୁମାର ଷଡ଼ଙ୍ଗୀ, ଶଶୀ ଭୂଷଣ ରଥ, ନକୁଳ ପ୍ରଧାନ, ଉଜ୍ଜ୍ୱଳ ସାହୁ, ପୁଷ୍ପଧ୍ୱଜ ସାହୁ, ଶ୍ରୀରାମୁଲୁ ରେଡ୍ଡୀ, ଲିଙ୍ଗରାଜ ଶବର, ଅରୁଣ କୁମାର ସାହୁ, ଅଟଳ ଭଟ୍ଟ, ପ୍ରତିମା ଶବର, ସୁଧାଂଶୁ ପଣ୍ଡା, ବରା ଇଂରେଶୁ, ରାମ ସେଠୀ, ଜୟସେନ ନାୟକ, ସୁଷମା ପାଠୀ ଓ ଭଗବାନ ଗୌଡ଼ଙ୍କ ସମେତ ବହୁ କୃଷକ ନେତା ଓ କର୍ମୀ ଯୋଗଦେଇଥିଲେ।
