କଳିଙ୍ଗା ଘାଟିରେ ଯାନବାହନ ଚଳାଚଳକୁ ଅନୁମତି ମରାମତି ପରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା, ସମସ୍ତ ପ୍ରକାର ଗାଡ଼ି ଚଳାଚଳ କରିପାରିବ
ବାଲିଗୁଡ଼ା, ୦୭/୧୧: ସୁକାନ୍ତ କୁମାର ତ୍ରିପାଠୀ : କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଦୀର୍ଘ ଦିନ ଧରି ବନ୍ଦ ରହିଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଆରମ୍ଭ ହେବ ଯାନବାହନ ଚଳାଚଳ। ରାସ୍ତା ମରାମତି କାର୍ଯ୍ୟ ଶେଷ ହେବା ପରେ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ, ଆଇଏଏସ୍ ଏହି ରାସ୍ତାରେ ସମସ୍ତ ବର୍ଗର ଯାନବାହନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୦୬ ନଭେମ୍ବର ୨୦୨୬ ତାରିଖରେ ଜାରି ହୋଇଥିବା ଅଫିସ୍ ଅର୍ଡର ନମ୍ବର ୧୨୬୬/Emg ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରାସ୍ତାରେ ଯାତାୟାତ ପାଇଁ ବିପଦ ଆଶଙ୍କା ରହିଥିବାରୁ ଗତ ୨୩ ସେପ୍ଟେମ୍ବର ୨୦୨୬ ଠାରୁ ଏହି ରାସ୍ତାକୁ ବନ୍ଦ କରାଯାଇଥିଲା। ଏନେଇ ୨୪ ସେପ୍ଟେମ୍ବରରେ ଜିଲ୍ଲା ପ୍ରଶାସନ ପକ୍ଷରୁ

ଆଦେଶ ନମ୍ବର ୯୮୮/Emg ଜାରି ହୋଇଥିଲା। ତେବେ ବର୍ତ୍ତମାନ ରାସ୍ତାର ଆବଶ୍ୟକୀୟ ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ଜନସାଧାରଣଙ୍କ ଯାତାୟାତ ସୁବିଧା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ଖୋଲିବାକୁ ନିଷ୍ପତ୍ତି ହୋଇଛି।ଏହି ନୂତନ ଆଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କଳିଙ୍ଗା ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ କରିପାରିବ। ପରବର୍ତ୍ତୀ ଆଦେଶ ଜାରି ନହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତି ପରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀ, ବ୍ୟବସାୟୀ, ମାଲବାହୀ ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହେବା ସହ ଅଞ୍ଚଳର ଯୋଗାଯୋଗ ଓ ବାଣିଜ୍ୟିକ କାର୍ଯ୍ୟକଳାପରେ ସ୍ୱାଭାବିକତା ଫେରିବା ଆଶା କରାଯାଉଛି।

