ଚିକିଟି, ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ l ଚ଼ିକିଟି ଗଞ୍ଜାମ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଚିକିଟି, ପାତ୍ରପୁର, ଆସିକା, ହିଞ୍ଜିଳିକାଟୁ, ଶେରଗଡ଼ ଓ ପୁରୁଷୋତ୍ତମପୁର ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡ଼ିର ଏକ ପ୍ରତିନିଧି ଦଳ ବନ୍ୟାଞ୍ଚଳ ପରିଦର୍ଶନ କରିଛି।ପୂର୍ବତନ ବାଚସ୍ପତି ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଚିକିଟିର ପୂର୍ବତନ ବିଧାୟିକା ଶ୍ରୀମତୀ ଉଷା ଦେବୀ, ଶ୍ରୀ ରୂପ ଦେଓଙ୍କ ଓ.ବ୍ରହ୍ମପୁରମେହର ବିକ୍ରମପଣ୍ଡା ସମେତ ଅନ୍ୟ ବିଜେଡ଼ି ଜନପ୍ରତିନିଧି ଓ ଦଳୀୟ ନେତାମାନେ ସାମିଲ ହୋଇଥିଲେ।ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୌସାନପୁର, ପାତ୍ରପୁର ବ୍ଲକର କେଶରୀପଡ଼ା ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ।

ଏହି ଅବସରରେ ବନ୍ୟା ପୀଡ଼ିତ ପରିବାରମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।ବନ୍ୟା ଯୋଗୁଁ ଅନେକ ଲୋକଙ୍କ ଘରଦ୍ୱାର, ଚାଷଜମି ଓ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଥିବାରୁ ବିପନ୍ନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଆବଶ୍ୟକୀୟ ରିଲିଫ୍ ଓ ସହାୟତା ଯୋଗାଇଦେବାକୁ ଦଳ ଦାବି କରିଛି।ଏଥିସହ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ବିଜେଡ଼ି ପ୍ରତିନିଧି ଦଳ ଦାବି ଜଣାଇଛି।

