କ.ନୂଆଗାଁ ପୋଲିସର ବଡ଼ ସଫଳତା, ୨୨ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ; ଯୁବକ ଗିରଫ

କ.ନୂଆଗାଁ, ୨୭/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ଦିଗରେ କ.ନୂଆଗାଁ ପୋଲିସକୁ ମିଳିଛି ସଫଳତା। ପୋଲିସ ପେଟ୍ରୋଲିଂ ସମୟରେ ସନ୍ଦେହଜନକ ଅବସ୍ଥାରେ ଗଞ୍ଜେଇ ନେଇ ଯିବାକୁ ଅପେକ୍ଷା କରିଥିବା ଜଣେ ଯୁବକଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୨୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ, କ.ନୂଆଗାଁ ଥାନାର ଏକ ପୋଲିସ ଟିମ୍ ନିୟମିତ ପାଟ୍ରୋଲିଂ କରୁଥିବା ସମୟରେ ଦାରିଙ୍ଗିବାଡ଼ି ଛକ ନିକଟସ୍ଥ କାକାବୁଡ଼ା ଅଞ୍ଚଳରେ ଜଣେ ଯୁବକ ଏକ ଜରି ଅଖା ଧରି ଅପେକ୍ଷା କରିଥିବା ଦେଖିଥିଲେ। ତାଙ୍କ ଆଚରଣ ଉପରେ ସନ୍ଦେହ ହେବାରୁ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଅଖା ଭିତରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ତାହାକୁ ଜବତ କରାଯାଇଥିଲା।ପରବର୍ତ୍ତୀ ସମୟରେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ବସୁଧା ପ୍ରଧାନ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ଏଥିରେ ମୋଟ ୨୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡ଼ସାହି ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ରାଜା ବେହେରା (୨୫) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଜବତ ଗଞ୍ଜେଇକୁ ଗଞ୍ଜାମ ଜିଲ୍ଲାକୁ ନେବା ପାଇଁ ସେ ଅପେକ୍ଷା କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।ଏହି ଘଟଣାକୁ ନେଇ କ.ନୂଆଗାଁ ଥାନାରେ କେସ୍ ନମ୍ବର ୧୬୬/୨୬ରେ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଆଇନଗତ ପ୍ରକ୍ରିୟା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା କ.ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନା ସୂଚନା ଦେଇଛନ୍ତି।ଗଞ୍ଜେଇ ଚୋରା ଚାଲାଣ ଭଳି ବେଆଇନ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପକ୍ଷରୁ ପାଟ୍ରୋଲିଂ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

Smart Computer Ad
You might also like
error: Content is protected !!