ବାତ୍ୟା ଆଶଙ୍କାରେ ବଢ଼ିଲା ସତର୍କତା; ଅକ୍ଟୋବର ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି ଘୋଷଣା

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା। ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ୫ଟି ଜିଲ୍ଲାରେ ଦୁଇ ଦିନ ସ୍କୁଲ୍, କଲେଜ ଛୁଟି ଘୋଷଣା କରାଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସମସ୍ତ ସ୍କୁଲ୍, କଲେଜ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ପରିସ୍ଥିତି ଦେଖି ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍କୁଲ୍ ଛୁଟି ସମ୍ପର୍କିତ ସୂଚନା ଜାରି ହୋଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରାୟ ୬୦ଟି ଓଡ୍ରାଫ୍ ଟିମ୍, ୧୭ଟି ଏନ୍ ଡିଆର୍ ଏଫ୍ ଟିମ୍ ଏବଂ ୨୨୫ଟି ଅଗ୍ନିଶମ ଟିମ୍ କୁ ସଜାଗ ରଖାଯାଇଛି। ପାଣିପାଗ ଆକଳନ ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।

Smart Computer Ad
You might also like
error: Content is protected !!