ବିଏସ୍‌ଏଫ୍‌ର ହୀରକ ଜୟନ୍ତୀ ଉପଲକ୍ଷେ ବାଲିଗୁଡ଼ାରେ ଜିଲ୍ଲାସ୍ତରୀୟ ଭଲିବଲ୍ ପ୍ରତିଯୋଗିତାନଭେମ୍ବର ୪ ଓ ୫ରେ ଦୁଇଦିନିଆ କ୍ରୀଡ଼ା ମହୋତ୍ସବ

ବାଲିଗୁଡ଼ା, ୧୮/୧୦: ସୁକାନ୍ତ କୁମାର ତ୍ରିପାଠୀ : ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ହୀରକ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରାଯିବ। ‘ଶାନ୍ତି ଓ ବିକାଶ ପାଇଁ କ୍ରୀଡ଼ା-୨୦୨୬’ ଅଭିଯାନର ଅଂଶବିଶେଷ ଭାବେ ନଭେମ୍ବର ୪ ଓ ୫ ତାରିଖରେ ବାଲିଗୁଡ଼ାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବିଏସ୍‌ଏଫ୍‌ର ୧୩୬ତମ ବାଟାଲିୟନ୍‌ର ମିଳିତ ସହଯୋଗରେ ଏହି କ୍ରୀଡ଼ା ଆୟୋଜନ କରାଯାଉଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌ସ୍ତରରୁ ମନୋନୀତ ଭଲିବଲ୍ ଦଳଗୁଡ଼ିକ ଏଥିରେ ଭାଗ ନେବେ। ଏହି ପ୍ରତିଯୋଗିତା ମାଧ୍ୟମରେ ଯୁବ କ୍ରୀଡ଼ାବିତ୍‌ଙ୍କ ପ୍ରତିଭାକୁ ଉତ୍ସାହିତ କରିବା ସହ କ୍ରୀଡ଼ା ଜରିଆରେ ଶାନ୍ତି, ସଦ୍‌ଭାବନା ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାର କରିବା ଲକ୍ଷ୍ୟ ରହିଛି।କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୪ ତାରିଖ ସକାଳ ୯ଟାରେ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହେବା ପରେ ମ୍ୟାଚ୍‌ଗୁଡ଼ିକ ଆରମ୍ଭ ହେବ। ନଭେମ୍ବର ୫ ତାରିଖ ସକାଳ ୧୧ଟାରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡ଼ିକ ନଭେମ୍ବର ୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ନିଜ ନିଜ ବ୍ଲକ୍ ମୁଖ୍ୟାଳୟରୁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ। ପ୍ରତିଯୋଗିତା ଶେଷ ହେବା ପରେ ନଭେମ୍ବର ୫ ତାରିଖ ମଧ୍ୟାହ୍ନ ଭୋଜନ ପରେ ନିଜ ନିଜ ବ୍ଲକ୍‌କୁ ଫେରିବେ।କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ଆଇନଶୃଙ୍ଖଳା ବ୍ୟବସ୍ଥା ସହ ପୁଲିସ କର୍ମଚାରୀ ମୁତୟନ କରିବାକୁ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି କ୍ରୀଡ଼ା ଆୟୋଜନ ଦ୍ୱାରା ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ସମାଜରେ ଶାନ୍ତି ଓ ଭାଇଚାରାର ଭାବନା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Smart Computer Ad
You might also like
error: Content is protected !!