ସିନ୍ଦ୍ରିଗାଁ ପଞ୍ଚାୟତରେ ‘ନିଶାମୁକ୍ତ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମଗଞ୍ଜେଇ ଚାଷ ବନ୍ଦ ସହ ବିକଳ୍ପ ଜୀବିକା ଆପଣାଇବାକୁ ଆହ୍ୱାନ
ବାଲିଗୁଡ଼ା, ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ନିରାକରଣ ଓ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ଥାନା ପକ୍ଷରୁ

ବାଲିଗୁଡ଼ା ତହସିଲ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତରେ ‘ନିଶାମୁକ୍ତ ଓଡ଼ିଶା’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର, ବିଡିଓ, ବନ

ବିଭାଗର ରେଞ୍ଜର, ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ, କୃଷି ଓ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ, ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ଜନପ୍ରତିନିଧିମାନେ

ଯୋଗଦେଇଥିଲେ।ସ୍ଥାନୀୟ ଯୁବକମାନଙ୍କୁ ସଚେତନତା ଅଭିଯାନ ସହ ଯୋଡ଼ିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ

କରାଯାଇଥିଲା। ଏହା ସହ ଗ୍ରାମବାସୀ ଓ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଗଞ୍ଜେଇ ଚାଷରୁ ଦୂରେଇ ରହିବା, ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ ଏବଂ ଏହାର ସାମାଜିକ କୁପ୍ରଭାବ ସମ୍ପର୍କରେ

ସଚେତନ କରାଯାଇଥିଲା।ଗଞ୍ଜେଇ ଚାଷ ପରିବର୍ତ୍ତେ ଫଳ, ପନିପରିବା ଓ ଅନ୍ୟାନ୍ୟ କୃଷିଜାତ ଫସଲ ଚାଷ କରି ଏକ ସୁସ୍ଥ, ସ୍ଥାୟୀ ଓ ଆର୍ଥିକ ଦୃଷ୍ଟିରୁ ଲାଭଜନକ ଜୀବିକା ଆପଣାଇବାକୁ ଗ୍ରାମବାସୀଙ୍କୁ
ଉତ୍ସାହିତ କରାଯାଇଥିଲା। ନିଶାମୁକ୍ତ ସମାଜ ଗଠନ ସହ ଗଞ୍ଜେଇ ଚାଷମୁକ୍ତ ଅଞ୍ଚଳ ଗଢ଼ିବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।
