ବାଲିଗୁଡ଼ାରେ ଔଷଧ ଦୋକାନରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଅଚାନକ ଛଡାଉ

ବାଲିଗୁଡ଼ା, ୧୫/୧୦/ ସୁକାନ୍ତ କୁମାର ତ୍ରିପାଠୀ : ଔଷଧ ବିକ୍ରିରେ ଅନିୟମିତତା ରୋକିବା ସହ ଜନସାଧାରଣଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବାଲିଗୁଡ଼ାରେ ଔଷଧ ନିରୀକ୍ଷଣ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳର ଡେଙ୍ଗିଛିଲ ଛକସ୍ଥିତ ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥିବା ତାରାଧୀଶ ଔଷଧ ଦୋକାନ ଓ ଅନ୍ୟନ୍ୟ ଔଷଧ ଦୋକାନ ଉପରେ କନ୍ଧମାଳ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ଚଢ଼ାଉ କରି ଔଷଧପତ୍ର ଯାଞ୍ଚ କରିଛନ୍ତି।ଯାଞ୍ଚ ସମୟରେ ଔଷଧର ମିଆଦ, ଗୁଣବତ୍ତା, ମୂଲ୍ୟ ଏବଂ ବିକ୍ରି ସମ୍ପର୍କିତ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ନିଶା ସୃଷ୍ଟିକାରୀ ଔଷଧର ବିକ୍ରି ଏବଂ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ଔଷଧ ବିକ୍ରି ଭଳି ଅଭିଯୋଗ ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଛି।ଏଥିସହ ଯେଉଁ ଔଷଧ ବିକ୍ରି ପାଇଁ ଡାକ୍ତରୀ ପ୍ରେସକ୍ରିପସନ୍ ଆବଶ୍ୟକ, ସେଗୁଡ଼ିକୁ ନିୟମ ଅନୁଯାୟୀ ବିକ୍ରି କରିବାକୁ ଔଷଧ ଦୋକାନୀମାନଙ୍କୁ ସତର୍କ କରାଯାଇଛି। ଔଷଧ ବିକ୍ରିରେ ଅବହେଳା କିମ୍ବା ନିୟମ ଉଲ୍ଲଂଘନ ଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦୋକାନୀମାନେ ନିୟମ ପାଳନ କରିବା ଜରୁରୀ ବୋଲି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।ଆଗାମୀ ଦିନରେ ବାଲିଗୁଡ଼ା ଅଞ୍ଚଳର ଅନ୍ୟାନ୍ୟ ଔଷଧ ଦୋକାନରେ ମଧ୍ୟ ଯାଞ୍ଚ ଓ ଚଢ଼ାଉ କରାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।

Smart Computer Ad
You might also like
error: Content is protected !!