ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ନେଇ ବିଦ୍ୟାଳୟରେ ମ୍ୟାଲେରିଆ ପରୀକ୍ଷା ଶିବିର୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ତୁମୁଡ଼ିବନ୍ଧ, ୨୩/୦୯: ସୁକାନ୍ତ କୁମାର ତ୍ରିପାଠୀ ମ୍ୟାଲେରିଆ ନିରାକରଣ ସହିତ ବିଦ୍ୟାଳୟସ୍ତରରେ ସ୍ୱାସ୍ଥ୍ୟ ସଚେତନତାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ତୁମୁଡ଼ିବନ୍ଧସ୍ଥିତ ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ମ୍ୟାଲେରିଆ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିର ଡାକ୍ତର ମଧୁସ୍ମିତା ପ୍ରିୟଦର୍ଶିନୀ ଓ ସ୍ୱାସ୍ଥ୍ୟକର୍ମୀ ପମିତା ନାୟକଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଶିବିରରେ ବିଦ୍ୟାଳୟର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିଲା।ଏହା ସହିତ ମ୍ୟାଲେରିଆର ପ୍ରମୁଖ ଲକ୍ଷଣ, ରୋଗ ସଂକ୍ରମଣର କାରଣ, ପ୍ରତିରୋଧର ବିଭିନ୍ନ ଉପାୟ ଏବଂ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରାମର୍ଶ ନେବା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ପରିବେଶକୁ ପରିଷ୍କାର ରଖିବା, ଘର ଓ ଆଖପାଖରେ ପାଣି ଜମିବାକୁ ନଦେବା ଏବଂ ମଶାରୀ ବ୍ୟବହାର କରିବା ନେଇ ମଧ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଆବଶ୍ୟକ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁନୀଲ କୁମାର ପାତ୍ର କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସୁସ୍ଥତା ଓ ସୁରକ୍ଷା ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ। ଆଗାମୀ ଦିନରେ ମଧ୍ୟ ବିଦ୍ୟାଳୟରେ ଏଭଳି ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖାଯିବ ବୋଲି ସେ ପ୍ରକାଶ କରିଥିଲେ।ଶିବିର ପରିଚାଳନାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ। ମ୍ୟାଲେରିଆ ପରୀକ୍ଷା ସହ ସ୍ୱାସ୍ଥ୍ୟ ସଚେତନତାର ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନତା ବଢ଼ାଇବାରେ ସହାୟକ ହୋଇଥିଲା।
