ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ, ଅଖିଳ ଭାରତୀୟ ମାରୱାଡି ମହିଳା ସମିତି, ଜଟଣୀ ଶାଖା ପକ୍ଷରୁ ୨୪ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଭାଦ୍ରବ ଅମାବାସ୍ୟାରେ ସ୍ଥାନୀୟ ଶ୍ରୀ ଗୋପୀନାଥଜୀ ମନ୍ଦିର ପରିସରରେ ଝୁନଝୁନୁୱାଲୀ ରାଣୀସତୀ ଦାଦୀଙ୍କ ଭବ୍ୟ ମଙ୍ଗଳପାଠ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଟକର ପ୍ରସିଦ୍ଧ ମଙ୍ଗଳପାଠ ଗାୟକ ବଜରଙ୍ଗ ଚିମନକା ଓ ସହଯୋଗୀମାନେ ସୁମଧୁର କଣ୍ଠରେ ମଙ୍ଗଳପାଠ ପରିବେଷଣ କରି ଶତାଧିକ ମହିଳାଙ୍କୁ ଭାବବିହ୍ୱଳ କରିଥିଲେ। ଭାଗ ନେଇଥିବା ମହିଳାଙ୍କୁ ସମିତି ପକ୍ଷରୁ ସୁହାଗ ପିଟାରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଛୋଟ-ବଡ଼ ଝିଅମାନଙ୍କ ଦ୍ୱାରା ଦାଦୀ ରାଣୀସତୀଙ୍କ ଜୀବନୀ ଆଧାରିତ ନାଟକ ପରିବେଷଣ ହୋଇଥିଲା। ମନ୍ଦିର ପରିସର ଫୁଲ, ଝାଲର ଓ ବେଲୁନରେ ସୁସଜ୍ଜିତ ହୋଇଥିଲା। ଅପରାହ୍ନ ୩ଟାରୁ ରାତି ୯ଟା ଯାଏଁ ଚାଲିଥିବା କାର୍ଯ୍ୟକ୍ରମ ଶେଷରେ ଭଣ୍ଡାରା ପ୍ରସାଦ ଆୟୋଜନ ହୋଇଥିଲା।୫୦୦ରୁ ଅଧିକ ମହିଳା-ପୁରୁଷ ଯୋଗ ଦେଇଥିବା ବେଳେ ହାଲାନ ପରିବାର ସହଯୋଗରେ ଆୟୋଜିତ ଭଣ୍ଡାରାରେ ୭୦୦ରୁ ଅଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ। ସଭାପତି ବନ୍ଦନା ସୋନ୍ଥାଲିଆ, ସମ୍ପାଦିକା ଯୋଗିତା ଶର୍ମା ଓ କୋଷାଧ୍ୟକ୍ଷା ପାୟଲ ହାଲାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ଶକୁନ୍ତଳା ହାଲାନ, ନିର୍ମଳା ନାଙ୍ଗଲିଆ, ମନୀଷା ଗୋୟନକା, ପୂର୍ବତନ ସମ୍ପାଦିକା କଞ୍ଚନ ଧରସୁୱାଲ, ରାଧା ସରାଫ, କାର୍ଯ୍ୟକାରିଣୀ ସଦସ୍ୟା କୁସୁମ ହାଲାନ, ରିଙ୍କୁ ଅଗ୍ରୱାଲ ପ୍ରମୁଖ ଓ ଗୋପୀନାଥ ମନ୍ଦିର କମିଟି, ସମାଜସେବୀ ବିଜୟ ରାୟ ସହଯୋଗ କରିଥିଲେ। ସେହିପରି ଭାଦ୍ରବ ଚତୁର୍ଦ୍ଦଶୀରେ ଗୁରୁବାର ରାତି ୮ଟାରୁ ୧୧ଟା ଯାଏଁ ସ୍ୱର୍ଗତ ବୃନ୍ଦା ଦେବୀ ଝୁନଝୁନୱାଲାଙ୍କ ନିବାସରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ହୋଇଥିଲା।
