ସରକାରୀ ବାବୁ ସାବଧାନ ! ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । । ଏଣିକି ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ରାଶି ସିଧାସଳଖ କାଟି ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।ସୂଚନା ଅନୁଯାୟୀ, ରାଜ୍ୟର ଅନେକ ସରକାରୀ କର୍ମଚାରୀ କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ପତ୍ନୀ କିମ୍ବା ସନ୍ତାନଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଛାଡ଼ପତ୍ର ପରେ ଦେବାକୁ ଥିବା ପୋଷଣ ଖର୍ଚ୍ଚ ମଧ୍ୟ ଅନେକ କ୍ଷେତ୍ରରେ ପ୍ରଦାନ କରାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ପ୍ରତିଥର ଏଭଳି ୨ରୁ ୩ଟି ମାମଲା ଆସୁଥିବା ଜଣାପଡ଼ିଛି ।ଏହାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ ଟଙ୍କା କାଟି ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କର୍ମଚାରୀ ହୋଇ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ପତ୍ନୀ ଓ ପିଲାଙ୍କ ପ୍ରତି ଅବିଚାର କରିବା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଅଦାଲତଙ୍କ ଆଦେଶ ମିଳିବା ପରେ ସମ୍ପୃକ୍ତ ବିଭାଗର DDO କର୍ମଚାରୀଙ୍କ ମାସିକ ଦରମାରୁ ନିର୍ଦ୍ଦିଷ୍ଟ ଭରଣପୋଷଣ ରାଶି କାଟିବେ । ପରେ ଏହି ଟଙ୍କା ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଜମା କରାଯିବ ।ଆଗାମୀ ଦିନରେ ଏଭଳି ଅଦାଲତ ନିର୍ଦ୍ଦେଶିତ ଭରଣପୋଷଣ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ HRMS ସହ ଯୋଡ଼ାଯିବ । ଏହାଦ୍ୱାରା କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ସୁନିଶ୍ଚିତ ହେବା ସହ ପତ୍ନୀ ଓ ସନ୍ତାନମାନଙ୍କୁ ସମୟରେ ଭରଣପୋଷଣ ମିଳିପାରିବ ।

Smart Computer Ad
You might also like
error: Content is protected !!