ଚିକିଟୀ,(ଜଗନ୍ନାଥ ନାୟକ):-
ଦୀର୍ଘଦିନ ଧରି ଅତିରିକ୍ତ ତହସିଲଦାର ପଦବୀ ଖାଲି ରହିବା ଯୋଗୁଁ କାର୍ଯ୍ୟଚାପରେ ଥିବା ଚିକିଟୀ ତହସିଲ ପ୍ରଶାସନକୁ ଏବେ ଆଶ୍ୱସ୍ତି ମିଳିଛି। ଓଡ଼ିଶା ସରକାରଙ୍କ ୨୦୨୨ ମସିହାର ସର୍କୁଲାର ଅନୁଯାୟୀ ଚିକିଟୀ ତହସିଲରେ ଦୁଇଟି ଅତିରିକ୍ତ ତହସିଲଦାର ପଦବୀ ରହିଥିଲେ ମଧ୍ୟ ଦୀର୍ଘଦିନ ଧରି ପଦବୀଗୁଡ଼ିକ ଅଧିକାରୀଶୂନ୍ୟ ହୋଇପଡ଼ିଥିଲା।ଶେଷରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଲିଭା ବେହେରା ଅତିରିକ୍ତ ତହସିଲଦାର ଭାବେ ଯୋଗଦାନ କରିଛନ୍ତି। ଗତ ଫେବୃଆରୀ ମାସରୁ ଅତିରିକ୍ତ ତହସିଲଦାର ଛୁଟିରେ ରହିବା ପରେ ତହସିଲର ଦୁଇଟିଯାକ ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡ଼ିଥିଲା।ଫଳରେ ରାଜସ୍ୱ ଓ ପ୍ରଶାସନିକ କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ ପରିଦର୍ଶନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଏକାକୀ ତହସିଲଦାରଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଦୈନନ୍ଦିନ କାର୍ଯ୍ୟାଳୟ କାର୍ଯ୍ୟ ସହ ବିଭିନ୍ନ ଦାୟିତ୍ୱ ସମ୍ଭାଳିବା ତାଙ୍କ ପାଇଁ ଚାପଗ୍ରସ୍ତ ଓ ସମୟସାପେକ୍ଷ ହୋଇପଡ଼ିଥିଲା।ନୂତନ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ ପରେ ତହସିଲ ପ୍ରଶାସନରେ ଦୀର୍ଘଦିନର ଅଧିକାରୀ ଅଭାବରେ ଏବେ ବିରାମ ଲାଗିଛି। ଏହା ଫଳରେ କାର୍ଯ୍ୟର ତ୍ୱରାନ୍ୱିତକରଣ ସହ ସାଧାରଣ ଲୋକଙ୍କ ବିଭିନ୍ନ ପ୍ରଶାସନିକ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।ଅତିରିକ୍ତ ତହସିଲଦାରଙ୍କ ଯୋଗଦାନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଅଧିକାରୀଣୀଙ୍କୁ ସ୍ୱାଗତ ଜଣାଇଥିଲେ। ନ୍ଯୂଜ ନର୍ଭ ଜଗନ୍ନାଥ ନାୟକ
