ବାଲିଗୁଡ଼ା, ୧୩/୦୮: ସୁକାନ୍ତ କୁମାର ତ୍ରିପାଠୀ
ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବାଲିଗୁଡ଼ାରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଗତକାଲି ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ମହାବିଦ୍ୟାଳୟର ପ୍ରାୟ ୩୦୦ ଛାତ୍ରଛାତ୍ରୀ ୩୦୦ ଫୁଟ ଲମ୍ବର ବିଶାଳ ତ୍ରିରଙ୍ଗା ଧରି ‘ହର ଘର ତ୍ରିରଙ୍ଗା’ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହା ସହ ବିଏସଏଫ ବାଟାଲିୟନର ଯବାନମାନେ ହାତରେ ଜାତୀୟ ପତାକା ଧରି କ୍ୟାମ୍ପ ପରିସରରୁ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କଳ୍ପନା କଂହର, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ଆଦିବାସୀ


ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ବରିଷ୍ଠ ବିଜେପି ନେତା ପଦ୍ମ ଦାଶ, ଆଦିକନ୍ଧ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ଜାତୀୟ ପତାକାର ମହତ୍ତ୍ୱ ଓ ସ୍ୱାଧୀନତାର ମୂଲ୍ୟବୋଧ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତା, ଏକତା ଓ ଭାଇଚାରା ବଜାୟ ରଖିବାକୁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି କୁହାଯାଇଥିଲା।ଘରେ ଘରେ ତ୍ରିରଙ୍ଗା ଉଡ଼ାଇ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଦିଆଯାଇଥିଲା। ସହରବାସୀଙ୍କ ମଧ୍ୟରେ ମଧ୍ୟ ଏହି ଅଭିଯାନକୁ ନେଇ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା।
