ବାଲିଗୁଡ଼ା, ୩୧/୭ : ସୁକାନ୍ତ କୁମାର ତ୍ରିପାଠୀ :
କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ବାଲିଗୁଡ଼ା ବ୍ଲକର ସୀମାନ୍ତ ପଞ୍ଚାୟତ ଲଣ୍ଡାଗାଁ ଓ ଖମାନଖୋଲ ଗସ୍ତ କରି ଉଭୟ ପଞ୍ଚାୟତରେ ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ବିଦ୍ୟାଳୟ ପାଇଁ ଜମି ଚିହ୍ନଟ କରିଛନ୍ତି।ଲଣ୍ଡାଗାଁ ପଞ୍ଚାୟତର ଖଇରବାଡ଼ି ଠାରେ ଏବଂ ଖମାନଖୋଲ ପଞ୍ଚାୟତର ଖମାନଖୋଲ ଠାରେ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଜିଲ୍ଲାପାଳ ଉଭୟ ସ୍ଥାନକୁ ପରିଦର୍ଶନ କରି ପ୍ରସ୍ତାବିତ ଜମିର ସ୍ଥିତି ସମୀକ୍ଷା କରିଥିଲେ।ଏହାପରେ ସେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଲଣ୍ଡାଗାଁ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ପରିବେଶ, ଭିତ୍ତିଭୂମି ଓ ବିଭିନ୍ନ ସୁବିଧାର ସମୀକ୍ଷା କରିବା

ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।ଗସ୍ତ ସମୟରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ପ୍ରଦୀପ ରଣା, ପ୍ରଧାନଶିକ୍ଷକ ଜଗବନ୍ଧୁ ନାୟକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଅଭିରାମ ରଣା, ଲଣ୍ଡାଗାଁ ସରପଞ୍ଚ ତୁଳସୀ ଝଙ୍କାର, ମୋତିଲାଲ ରଣା, ହେମନ୍ତ ରଣାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ଏହି ଅବସରରେ ଲଣ୍ଡାଗାଁ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିକାଶମୂଳକ ଦାବି ସମ୍ପର୍କରେ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ସମସ୍ତ ଦାବିକୁ ଧ୍ୟାନର ସହ ଶୁଣି ସେଗୁଡ଼ିକର ସମାଧାନ ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।