ବାଲିଗୁଡା, ୨୨/୦୭: ବାଲିଗୁଡାସ୍ଥିତ ଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ଅବସରରେ ବିରାଜମାନ ଥିବା ତିନି ଠାକୁର ଓ ସୁଦର୍ଶନଙ୍କର ନିତ୍ୟ ପୂଜାର୍ଚ୍ଚନା ଭକ୍ତିଭାବର ସହ ଚାଲିଛି। ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ପର୍ଶୁରାମ ବେଶରେ ସୁସଜ୍ଜିତ କରାଯାଇଥିବା ବେଳେ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା।ବିଶେଷକରି ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁମାନଙ୍କର ସମାଗମ ଦେଖିବାକୁ ମିଳୁଛି। ରଥଯାତ୍ରାର ପରଦିନଠାରୁ ଗୁଣ୍ଡିଚା ମନ୍ଦିର ପରିସରରେ ଧାର୍ମିକ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ପ୍ରବଚକ ବାବାଜୀ ଦାଶିବାମନ ଦାସ ଜଗନ୍ନାଥ ସଂସ୍କୃତି, ଭକ୍ତି ଓ ସନାତନ ପରମ୍ପରା ଉପରେ ପ୍ରତିଦିନ ପ୍ରବଚନ ପ୍ରଦାନ କରୁଛନ୍ତି।ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ମିଠା ଓ ପ୍ରସାଦ ବିକ୍ରୟ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ସମଗ୍ର କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ମୁଖ୍ୟ ଭଗବାନ ପଣ୍ଡାଙ୍କ ନେତୃତ୍ୱରେ ସତ୍ୟନାରାୟଣ ପଣ୍ଡା, ସୁରେଶ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ସୁଚାରୁରୂପେ ପରିଚାଳନା କରୁଛନ୍ତି।
ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ