ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ : ଆମରି ସତ୍ୟ ବିକାଶ ପରିଷଦ, ଜଟଣୀ ଆନୁକୂଲ୍ୟରେ ବଡ଼ଟୋଟା ଠାରେ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜବାହର ଲାଲ ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆଲୋଚ୍ୟ ବିଷୟ ଥିଲା “ସବୁଜ ଯୁଗର କାବ୍ୟ ଚେତନା”।ମୁଖ୍ୟ ବକ୍ତା ଭାବେ ବେଗୁନିଆ ମହାବିଦ୍ୟାଳୟର ଅଧ୍ୟାପକ ଡଃ ସୋମନାଥ ବିଷୋୟୀ ଯୋଗଦେଇ କହିଲେ ଯେ, ସବୁଜ ଯୁଗର କବିତା ନୂତନ ସାହିତ୍ୟ ସୃଷ୍ଟି କରିବା ସହ ନୂତନ ଚେତନା ଜାଗ୍ରତ କରିବା ଓ ନବୀନ ତରୁଣମାନଙ୍କୁ ଉଜ୍ଜୀବିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା।ମୁଖ୍ୟ ଅତିଥି ଭାବେ ଡଃ ଶଶାଙ୍କ ଶେଖର ରଥ ଯୋଗଦେଇ କହିଲେ, କବିର ଚେତନା ହେଉଛି ଏକ ଯୁଗର ଚେତନା। ସବୁଜ ସାହିତ୍ୟ ସମାଜ ଓ ଯୁବକମାନଙ୍କୁ ଉନ୍ନତ ମାର୍ଗ ଦର୍ଶାଇଥାଏ।ସମ୍ମାନିତ ଅତିଥି ତଥା ଆମରି ସତ୍ୟର ପ୍ରତିଷ୍ଠାତା ଡଃ ପ୍ରମୋଦ ଚନ୍ଦ୍ର ଦାଶ ଓଡ଼ିଆ କାବ୍ୟ ସାହିତ୍ୟ ଆଲୋଚନା ଦ୍ୱାରା ମାତୃଭାଷା ଓ ସାହିତ୍ୟର ଅଭିବୃଦ୍ଧି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ଏହି ଆଲୋଚନାଚକ୍ରରେ ଆଦି ନାରାୟଣ ଖଣ୍ଡୁଆଳ, ଡଃ ରାମ ଶଙ୍କର, ସାରଙ୍ଗଧର ବଳିଆରସିଂହ, ସୁଦର୍ଶନ ମହାପାତ୍ର, ଶକ୍ତିଧର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟାନନ୍ଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ସଭାରେ ଆୟୋଜକ ପ୍ରତାପ କୁମାର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଷ୍ଣୁ ଚରଣ ସ୍ୱାଇଁ, ଅର୍ଜୁନ ବାରିକ ଓ ବିଜୟାନନ୍ଦ ପଟ୍ଟନାୟକ ପରିଚାଳନା କରିଥିଲେ।ପ୍ରଥମ ପର୍ଯ୍ୟାୟରେ ଡଃ ସୁକାନ୍ତି ମହାପାତ୍ରଙ୍କ ସଭାପତିତ୍ୱ ଓ ବ୍ରଜବନ୍ଧୁ ନାୟକ ଏବଂ ପଦ୍ମଲୋଚନ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଭାସ ମଙ୍ଗରାଜ, ରବୀନ୍ଦ୍ର ଖଣ୍ଡୁଆଳ, ଦେବନାଥ ଦାଶ, ଜଗନ୍ନାଥ ନାୟକ, ସାରଙ୍ଗଧର ବେହେରା, ସାମ୍ବାଦିକ ରବୀନ୍ଦ୍ର କୁମାର ମାହାକୁଡ଼, ଅଙ୍କିତା ଶର୍ମା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ପ୍ରତାପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
