ଛତ୍ରପୁର,(ବିଚିତ୍ର ସାହୁ):-
ଆସନ୍ତା ୨୦୨୭ ଜନଗଣନାକୁ ସଫଳ ଓ ସୁପରିକଳ୍ପିତ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଛତ୍ରପୁରସ୍ଥିତ ଜଉଗଡ଼ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ମୁଖ୍ୟ ଜନଗଣନା ଅଧିକାରୀ, ଗଞ୍ଜାମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ୱାସାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ସମୟବଦ୍ଧ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁନୀଲ କୁମାର କେର୍କେଟା ୨୦୨୭ ଜନଗଣନାର ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ (DCHB) ପ୍ରସ୍ତୁତି ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଓ ସମୟସୀମା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ DCHB ପ୍ରସ୍ତୁତି ପାଇଁ ବିଭିନ୍ନ ବିଭାଗରୁ ସଠିକ୍ ତଥ୍ୟ ସଂଗ୍ରହ, ତଥ୍ୟର ଗୁଣାତ୍ମକ ଯାଞ୍ଚ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପନ ଏବଂ କ୍ଷେତ୍ରସ୍ତରରେ ଘର ତାଲିକାକରଣ ଓ ଅନ୍ୟାନ୍ୟ ଜନଗଣନା କାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ଡେପୁଟି କଲେକ୍ଟର (ସେନ୍ସସ୍) ଶ୍ରୀମତୀ ସିକିତା ଗୌଡ଼, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ପାର୍ଥ ସାରଥୀ ହାଁସଦା, କନ୍ସଲଟାଣ୍ଟ ଶ୍ରୀ ଏମ୍. ଶ୍ରୀନିବାସ ଏବଂ ଡି.ସି.ଓ., ଓଡ଼ିଶା ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶିକ୍ଷଣରେ ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତିରେ ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆର୍.ଆଇ.), ସହକାରୀ ରାଜସ୍ୱ ନିରୀକ୍ଷକ (ଏ.ଆର୍.ଆଇ.), ରାଜସ୍ୱ ସୁପରଭାଇଜର, ଅମୀନ ଏବଂ ସମ୍ପୃକ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଭୂମିକା, କାର୍ଯ୍ୟପଦ୍ଧତି ଓ ଦାୟିତ୍ୱ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ଖସଡ଼ା ପ୍ରସ୍ତୁତିଠାରୁ କ୍ଷେତ୍ରସ୍ତରୀୟ ତଥ୍ୟ ଯାଞ୍ଚ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ସଠିକତା ଏବଂ ସ୍ୱଚ୍ଛତା ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।ଡିଜିଟାଲ ଜନଗଣନା ପ୍ରକ୍ରିୟାକୁ ସୁଦୃଢ଼ କରିବା ନିମନ୍ତେ ମୋବାଇଲ ଆପ୍ର ସ୍ଥାପନ, ବ୍ୟବହାର ଓ ପରିଚାଳନା ସମ୍ପର୍କରେ ମଧ୍ୟ ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲାର ଆର୍.ଆଇ. ଓ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହାୟତା ପାଇଁ ଜିଲ୍ଲାସ୍ତରୀୟ ହେଲ୍ପ ଡେସ୍କ କାର୍ଯ୍ୟକ୍ଷମ କରାଯାଇଥିବା ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା।ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଭୌଗୋଳିକ ସୀମା, ଅବସ୍ଥିତି, ସାମାଜିକ ଓ ଅର୍ଥନୈତିକ ପରିସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଭିତ୍ତିଭୂମି ସୁବିଧା ଆଦି ସମ୍ପର୍କିତ ତଥ୍ୟ ସଂଗ୍ରହରେ ସଠିକତା ଓ ନିର୍ଭୁଲତା ବଜାୟ ରଖିବାକୁ ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଥିଲା। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ ନେଇ କାର୍ଯ୍ୟ ସମ୍ପାଦନ କରିବାକୁ ମଧ୍ୟ ଆହ୍ୱାନ କରାଯାଇଥିଲା।ତାଲିମରେ ମତପ୍ରକାଶ ପାଇଥିଲା ଯେ, ଜନଗଣନାରୁ ସଂଗୃହୀତ ନିର୍ଭରଯୋଗ୍ୟ ତଥ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତାରେ ସହାୟକ ହୋଇଥାଏ। ତେଣୁ ତଥ୍ୟ ସଂଗ୍ରହ, ଯାଞ୍ଚ ଓ ଉପସ୍ଥାପନାରେ ସର୍ବୋଚ୍ଚ ସଠିକତା ବଜାୟ ରଖିବା ଅତ୍ୟାବଶ୍ୟକ।ଜନଗଣନା କାର୍ଯ୍ୟକୁ ଆହୁରି ସୁସଂଗଠିତ ଓ ଫଳପ୍ରଦ କରିବା ନିମନ୍ତେ ଜିଲ୍ଲାସ୍ତରରେ ଏକ ସେନ୍ସସ୍ ଗ୍ରୁପ୍ ଗଠନ କରାଯାଇଥିବାବେଳେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କ ମାଧ୍ୟମରେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହା ଦ୍ୱାରା କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଅଧିକ ଦକ୍ଷତାର ସହ ଜନଗଣନା କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ଆଶା ପ୍ରକାଶ କରାଯାଇଥିଲା।
