ଓଏମଏସଏର ୧୦ ଦଫା ଦାବି ପୂରଣ ଦାବିରେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ, ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସାମିଲ
ବାଲିଗୁଡ଼ା,୦୧/୦୭ (ସୁକାନ୍ତ କୁମାର ତ୍ରିପାଠୀ):ଜାତୀୟ ଡାକ୍ତର ଦିବସ ଅବସରରେ ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (ଓଏମଏସଏ) ପକ୍ଷରୁ ରାଜ୍ୟବ୍ୟାପୀ ଆହ୍ୱାନ କରାଯାଇଥିବା ୧୦ ଦଫା ଦାବି ପୂରଣ ଦାବିରେ ବୁଧବାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିଛନ୍ତି। ସରକାର ଶୀଘ୍ର ଦାବିଗୁଡ଼ିକ ପୂରଣ କରିବାକୁ ଡାକ୍ତରମାନେ ଦାବି ଜଣାଇବା ସହ ନିଜ ପ୍ରତିବାଦ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଓଏମଏସଏ ପକ୍ଷରୁ କେନ୍ଦ୍ରୀୟ ଡିଏସିପି (DACP) କାର୍ଯ୍ୟକାରୀ କରିବା, ଓଏମଏଚଏସ୍ ଦରମା ଗଠନର ସଂଶୋଧନ, କ୍ୟାଡର ପୁନର୍ଗଠନ, ନିୟମିତ ପଦୋନ୍ନତି, ସ୍ୱଚ୍ଛ ଓ ସମୟସୀମାବଦ୍ଧ ବଦଳି ନୀତି, ଡାକ୍ତରଙ୍କ ସୁରକ୍ଷା, ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଚୁକ୍ତିଭିତ୍ତିକ ଓ ଆଡହକ୍ ଡାକ୍ତରଙ୍କ ନିୟମିତକରଣ, ଭତ୍ତା ବୃଦ୍ଧି, ନିୟମିତ OPSC ନିଯୁକ୍ତି, ବିଭାଗୀୟ


ପଦୋନ୍ନତି କମିଟି (DPC) ବୈଠକ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ସମେତ ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି।ଡାକ୍ତରମାନଙ୍କ କହିବାନୁସାରେ, ଦୀର୍ଘଦିନ ଧରି ଏହି ଦାବିଗୁଡ଼ିକ ଅମିମାଂସିତ ରହିଥିବାରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ପରିବେଶ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରଭାବିତ ହେଉଛି। ଏହି ସମସ୍ୟାର ସମାଧାନ ହେଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ ହେବା ସହ ଡାକ୍ତରମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।ଓଏମଏସଏ ପକ୍ଷରୁ କୁହାଯାଇଛି ଯେ, ସରକାର ଶୀଘ୍ର ଦାବିଗୁଡ଼ିକ ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ତେବେ ପ୍ରତିବାଦ ସତ୍ତ୍ୱେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଜରୁରୀ ସେବା ସମେତ ସମସ୍ତ ରୋଗୀସେବା ସ୍ୱାଭାବିକ ଭାବେ ଜାରି ରହିଥିବା ଜଣାପଡ଼ିଛି।ଜାତୀୟ ଡାକ୍ତର ଦିବସ ଅବସରରେ ଓଏମଏସଏ ରାଜ୍ୟ ସରକାରଙ୍କୁ ଡାକ୍ତରମାନଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବିଗୁଡ଼ିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରି ଡାକ୍ତରୀ ସମ୍ପ୍ରଦାୟର ମର୍ଯ୍ୟାଦା, କଲ୍ୟାଣ ଓ ସ୍ୱାର୍ଥ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛି।
