ଶିଶୁ ଶ୍ରମ ବିରୋଧୀ ବିଶ୍ୱ ଦିବସ ପାଳିତ

ଦିଗପହଣ୍ଡି,(ଏସ.ଏମ.ପି):-

ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଞ୍ଜାମ ଆନୁକୂଲ୍ୟରେ ଆଜି ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ଶିଶୁ ଶ୍ରମ ବିରୋଧୀ ବିଶ୍ୱ ଦିବସ” ପାଳିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ବ୍ୟୋମକେଶ ନାୟକ, ସଚିବ, ଡିଏଲଏସଏ, ଗଞ୍ଜାମ ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେ ମାନ୍ୟବର ବରିଷ୍ଠ ସିଭିଲ ଜଜ, ଦିଗପହଣ୍ଡି ଶ୍ରୀମତୀ ମହେଶ୍ୱତା ପରିଜା ଏବଂ ତହସିଲଦାର ଶ୍ରୀ ସନ୍ତୋଷ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବକ୍ତାମାନେ ଶିଶୁ ଶ୍ରମର କୁପ୍ରଭାବ, ଶିଶୁମାନଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ଏବଂ ଶିଶୁ ଶ୍ରମ ନିଷେଧ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ।ସଭାପତି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଶିଶୁ ଶ୍ରମ ସମାଜ ପାଇଁ ଏକ ଗୁରୁତର ସମସ୍ୟା ଏବଂ ଏହାର ସମୂଳ ନିରାକରଣ ପାଇଁ ପ୍ରଶାସନ, ସାମାଜିକ ସଂଗଠନ ଓ ସାଧାରଣ ଜନତାଙ୍କର ସମ୍ମିଳିତ ପ୍ରୟାସ ଆବଶ୍ୟକ। ସେ ଶିଶୁମାନଙ୍କୁ ଶ୍ରମରୁ ଦୂରେଇ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଅଂଶଗ୍ରହଣକାରୀମାନେ ଶିଶୁ ଶ୍ରମ ନିରାକରଣ ଓ ଶିଶୁ ଅଧିକାର ସୁରକ୍ଷା ସମ୍ବନ୍ଧରେ ସଚେତନ ହେବା ସହ ଏହାର ପ୍ରଚାର ପ୍ରସାର କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯିବା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

You might also like
error: Content is protected !!