ଖୋର୍ଦ୍ଧା,(ସଞ୍ଜୀବ କୁମାର):-
୬୦ ବର୍ଷ ବୟସ ହୋଇଗଲେ ପରେ ସୁଭଦ୍ରା ଯୋଜନାରୁ କଟିଯାଉଛି ନାଁ, ହେଲେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁନାହାନ୍ତି। ଯାହାକୁ ନେଇ ଚିନ୍ତାରେ ରାଜ୍ୟର ହଜାର ହଜାର ମାଆ। ତେବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ଯେଉଁମାନେ ସୁଭଦ୍ରାରୁ ଅପଗ୍ରେଡେସନ ହେବେ ସେମାନେ ଆପଣାଛାଏଁ ବାର୍ଦ୍ଧକ୍ୟ ଭତ୍ତା ତାଲିକାରେ ଯୋଡ଼ିହେବେ। ତା ସହ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବିଭାଗ, ସ୍କିଲ୍ ଅପଗ୍ରେଡେସନ୍ ଜରିଆରେ ଆତ୍ମନିର୍ଭର କରିବାକୁ ଯୋଜନା କରୁଛି। ସୁଭଦ୍ରାରୁ ତାଲିକାରୁ ନାଁ କଟୁଛି, ହେଲେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ତାଲିକାରେ ଯୋଡ଼ି ହେଉନି। କେଉଁଠି ରହିଛି ସମସ୍ୟା, ତାକୁ ନେଇ ଦ୍ବନ୍ଦ୍ବରେ ଶହ ଶହ ମହିଳା। ନିୟମ ରହିଛି, ୬୦ ବର୍ଷ ଅତିକ୍ରମ କଲେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ଜଣେ ମହିଳା, ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। କିନ୍ତୁ ବାର୍ଦ୍ଧକ୍ୟ ଭତ୍ତା ନମିଳିବା ପରେ ଚିନ୍ତାରେ ଏଭଳି ବହୁ ମହିଳା। ଏ ହେଉଛନ୍ତି ଗଞ୍ଜାମ ଖଲ୍ଲିକୋଟ ବ୍ଲକ କମଳାପଦର ଗାଁର ଅହଲ୍ୟା ବିଶ୍ବାଳ। ବୟସ ଏବେ ଏବେ ୬୦ ପାର ହୋଇଛି। ପୂର୍ବରୁ ସୁଭଦ୍ରା ଯୋଜନାର ପ୍ରଥମ ଦୁଇଟି କିସ୍ତିରେ ତାଙ୍କୁ ୧୦ ହଜାର ଟଙ୍କା ମିଳିଥିଲା। କିନ୍ତୁ ୬୦ ବର୍ଷ ହେବା ପରେ ସେ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଛନ୍ତି। ଏହାପରେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବା କଥା। ହେଲେ ବାରମ୍ବାର ଆବେଦନ କରିବା ସତ୍ତ୍ବେ ତାଙ୍କୁ ଭତ୍ତା ମିଳୁନାହିଁ। ସେମିତି ଏ ହେଉଛନ୍ତି ବାଲେଶ୍ବର ଜିଲ୍ଲା କୁପାରୀ ଅଞ୍ଚଳର ଆରତୀ ରାଉତ। ପ୍ରଥମରୁ ସୁଭଦ୍ରା ଯୋଜନାରେ ୩ଟି କିସ୍ତି ପାଇଥିଲେ। କିନ୍ତୁ ୬୦ ବର୍ଷ ପୁରିବା ପରେ ସୁଭଦ୍ରାରୁ ବଞ୍ଚିତ ହେଲେ। ବାର୍ଦ୍ଧକ୍ୟ ଭତ୍ତାପାଇଁ ବାରମ୍ବାର ଆବେଦନ ପରେବି ଭତ୍ତା ମିଳୁନି।ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ୨୧ରୁ ୬୦ ବର୍ଷ ଯାଏ ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦିଆଯାଉଛି। ଯେଉଁମାନେ ୬୦ ବର୍ଷ ଅତିକ୍ରମ କଲେ ସେମାନେ ଆପଣାଛାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବିବେଚିତ ହେବେ। ସେହିପରି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ୍ ମ୍ୟାପିଂ କରାଯାଉଛି। msme, ମିଶନ ଶକ୍ତି, ସ୍କିଲ ଡେଭଲପମେଣ୍ଟ ଜରିଆରେ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି। ଏଥିସହିତ ସେମାନଙ୍କ ପ୍ରଡକ୍ଟର ମାର୍କେଟିଂ କରିବାକୁ ବି ଯୋଜନା କରିଛି ମହିଳା ଓ ଶିଶୁ ବିକାଶ ବିଭାଗ। ସେଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ ICDS ଜରିଆରେ ୩୩୮ଟି ଟ୍ରେନିଂ ସେଣ୍ଟରରେ ସ୍ବତନ୍ତ୍ର ଟ୍ରେନର ନିଯୁକ୍ତ କରାଯାଇଛି।ରାଜ୍ୟରେ ମୋଟ ୫୭ ଲକ୍ଷ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ କୋଟିଏରୁ ଅଧିକ ମହିଳା ସୁଭଦ୍ରା ଯୋଜନାର ଫାଇଦା ପାଉଛନ୍ତି। ଆଗକୁ ସୁଭଦ୍ରା ହିତାଧିକାରୀଙ୍କୁ ଆତ୍ମନିର୍ଭର କରିବାପାଇଁ ସ୍କିଲ ଅପଗ୍ରେଡେସନ ଯୋଜନା କରିଥିବା ମହଳା ଓ ଶିଶୁ ବିକାଶ ବିଭାଗ କେତେ ସଫଳ ହେଉଛି ତା ଉପରେ ନଜର।