ବ୍ରହ୍ମପୁର,(ବିଚିତ୍ର ସାହୁ):-
ବ୍ରହ୍ମପୁର ବିଶ୍ବ ପରିବେଶ ଦିବସ-୨୦୨୬ ଅବସରରେ ଆଜି ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଞ୍ଜାମ ପକ୍ଷରୁ ଏକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍-ତଥା -ଅଧ୍ଯକ୍ଷ,ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ବିବସ୍ବତ ଗୌତମ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଓ ସବୁଜ ପରିବେଶ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ l ଶ୍ରୀ ଗୌତମ ନିଜେ ବୃକ୍ଷରୋପଣର ଶୁଭାରମ୍ଭ କରି କହିଥିଲେ ଯେ ‘ବୃକ୍ଷରୋପଣ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବାର ସାମୂହିକ ଦାୟିତ୍ଵ l ସେ ଆହୁରି ମଧ୍ୟ କହିଥିଲେ ଯେ ‘ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ବ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି,ଏହାର ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୃକ୍ଷରୋପଣ ସହ ପରିବେଶ ସଂରକ୍ଷଣରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ’ l ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଗଞ୍ଜାମର ସଚିବ ବ୍ୟୋମକେଶ ନାୟକ ଉପସ୍ଥିତ ରହି ବିଶ୍ବ ପରିବେଶ ଦିବସର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ବ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ନୈତିକ କର୍ତ୍ତବ୍ୟ, ସବୁଜ ପରିବେଶ ଗଠନ ଦ୍ବାରା ହିଁ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରାଯାଇପାରିବ’ । ଏହି ଅବସରରେ ସିଭିଲ କୋର୍ଟ, ବ୍ରହ୍ମପୁରର ବିଚାରକ ଓ ଅଧିକାରୀ, ବନ ବିଭାଗର ଅଧିକାରୀ, ଡିଏଲଏସଏ ଏବଂ କୋର୍ଟ କର୍ମଚାରୀମାନେ ଯୋଗଦେଇ ବିଭିନ୍ନ ଫଳ ଓ ଫୁଲ ଗଛର ଚାରା ରୋପଣ କରିଥିଲେ । ବନ ବିଭାଗ ପକ୍ଷରୁ ପ୍ରଦତ୍ତ ଚାରାଗୁଡ଼ିକୁ କୋର୍ଟ ପରିସରର ବିଭିନ୍ନ ସ୍ଥାନରେ ରୋପଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ପରିବେଶ ସୁରକ୍ଷା,ବୃକ୍ଷରୋପଣ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ସଚେତନ ରହିବା ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସିଭିଲ କୋର୍ଟ ପରିସରରେ ଏକ ସବୁଜ, ସୁନ୍ଦର ଏବଂ ପରିବେଶ ଅନୁକୂଳ ପରିବେଶ ଗଠନ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ ସମସ୍ତଙ୍କ ଦ୍ବାରା ସ୍ବାଗତ କରାଯାଇଥିଲା । ସଚିବ ଶ୍ରୀ ନାୟକ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।