ଏହି ଜିଲାକୁ କାଳବୈଶାଖୀ: ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଜ୍ୟରେ ଏବେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଦିନ ତାପମାତ୍ରା ହ୍ରାସ ପାଉଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସୋମବାର ପ୍ରାୟତଃ ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ ଆଦି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।ସେହିପରି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାକୁ କାଳବୈଶାଖୀ ସହିତ କୁଆପଥର ବୃଷ୍ଟି ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଯାଜପୁର, କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲାକୁ କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ଏଥିପାଇଁ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଥିବା ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ, ରବିବାର ରାଜ୍ୟର ୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୪.୫ ଡିଗ୍ରୀ ଏବଂ ଖୋର୍ଦ୍ଧାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୬.୫ ଡିଗ୍ରୀ ରହିଥିଲା। ନୟାଗଡ଼ରେ ସର୍ବାଧିକ ତାପମାତ୍ରା ୩୯.୭ ଡିଗ୍ରୀ, ଟିଟିଲାଗଡ଼ ଓ ନୂଆପଡ଼ା ୩୯.୫, ବଲାଙ୍ଗୀରରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲାବେଳେ ଗୋପାଳପୁରରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ୩୧.୯ ଡିଗ୍ରୀ ରହିଥିଲା। ଅପରପକ୍ଷେ ମହାରାଷ୍ଟ୍ରର ବିଦର୍ଭ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟଠାରୁ ମଧ୍ୟ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଏକ ଟ୍ରଫ୍‌ ଲାଇନ୍‌ (ଲଘୁଚାପ ରେଖା) ଗତି କରୁଛି। ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉପରୋକ୍ତ ଟ୍ରଫ୍‌ ଲାଇନ୍‌ ସହିତ ମିଶି ଯାଇଥିବା ସୂଚନା ଦିଆଯାଇଛି।

You might also like
error: Content is protected !!