ବାଲିଗୁଡା : ୧୬/୦୫ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ସାବିତ୍ରୀ ଅମାବାସ୍ୟା ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା “ସାବିତ୍ରୀ ବେଶ”ରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ।ପ୍ରତ୍ୟୁଷରୁ ମନ୍ଦିରରେ ବିଧିବଦ୍ଧ ରୀତିନୀତି ଓ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରେ ମା’ଙ୍କୁ ସୁନ୍ଦର “ସାବିତ୍ରୀ ବେଶ”ରେ ସଜାଯାଇଥିଲା। ମା’ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ କନ୍ଧମାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ମନ୍ଦିରକୁ

ଆସିଥିଲେ। ସକାଳରୁ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତମାନଙ୍କର ଭିଡ଼ ଲାଗି ରହିଥିଲା।ଭକ୍ତମାନେ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ଓ କିଛି ଭକ୍ତଙ୍କ ପକ୍ଷରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା। ଉତ୍ସବର ସୁଚାରୁ ପରିଚାଳନା ପାଇଁ କମିଟିର ସମସ୍ତ ସଦସ୍ୟ, ପୂଜକ ଓ ସ୍ଥାନୀୟ ଭକ୍ତମାନେ ସକ୍ରିୟ ସହଯୋଗ କରିଥିଲେ।
