ବାଲିଗୁଡା,୧୩/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ନିର୍ଭରଯୋଗ୍ୟ ସୂଚନା ଆଧାରରେ ପୋଲିସ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବିରିମିଲା ଜଙ୍ଗଲ ଅଞ୍ଚଳରେ ଚଢାଉ କରିଥିଲା । ଚଢାଉ ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୮ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି ।ଏହି ଘଟଣାରେ ତୁମୁଡିବନ୍ଧ ଥାନା କେସ ନମ୍ବର ୬୪, ତାରିଖ ୧୩.୦୫.୨୦୨୬ ଅନୁସାରେ ଆର୍ମସ ଆକ୍ଟ ଧାରା ୨୫(୧-ବି)(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି ।ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏହି ବନ୍ଧୁକଗୁଡ଼ିକ ବନ୍ୟଜନ୍ତୁଙ୍କ ଅବୈଧ ଶିକାର ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି ।