ପୋଲିସ ପାଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ : ୩ ଜଣ ଗିରଫ

ବାଲିଗୁଡା, ୧୭/୦୪: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଏକ ବଡ଼ ସଫଳତା ମିଳିଛି। ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ପୋଲିସ ଦଳ ଦାରିଙ୍ଗିବାଡ଼ି ଛକରେ ଯାଞ୍ଚ କାର୍ଯ୍ୟ କରୁଥିବା ସମୟରେ କାଠ ପଟା ବୋଝେଇ ଏକ ମିନି ଟ୍ରକକୁ ଜବତ କରିଥିଲେ। ପରେ ଏହାକୁ କ.ନୂଆଗାଁ ବନାଞ୍ଚଳ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁରଙ୍କ ନେତୃତ୍ୱରେ ବନ ବିଭାଗ ଦଳ ଉକ୍ତ ମିନି ଟ୍ରକ (ଓଡ଼ି ୦୨ ସିପି ୭୬୨୭) କୁ ଯାଞ୍ଚ କରି ୮୪ ଟି କାଠ ପଟା ଜବତ କରିଥିଲେ। ଏଥିରେ ୧୫ ଟି ଶାଳ ପଟା, ୨୫ ଟି ପିଆଶାଳ ପଟା ଓ ୪୪ ଟି ଶାଳ ସାଇଜ କାଠ ଥିବା ଜଣାପଡ଼ିଛି।ଏହି ଘଟଣାରେ ବେଆଇନ ଭାବେ କାଠ ପରିବହନ କରୁଥିବା ଡ୍ରାଇଭର ବିପିନ ପ୍ରଧାନ (୩୪) ସହ କାଠ ଚୋରା ଚାଲାଣରେ ଜଡିତ ଚିକୁନୁ ନାୟକ (୪୩) ଓ ଦୀପକ କୁମାର ନାୟକ (୫୦)ଙ୍କୁ ଗିରଫ କରାଯାଇଛି। ସମସ୍ତେ ରାଇକିଆ ଥାନା ଅନ୍ତର୍ଗତ ସୁଗଡ଼ବାଡ଼ି ଅଞ୍ଚଳର ବସିନ୍ଦା ବୋଲି ଜଣାପଡ଼ିଛି।ଏହା ସହିତ ଚାଲାଣକାରୀଙ୍କ ଠାରୁ ୧୯,୮୦୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ଏହି ମିନି ଟ୍ରକଟି କୋଟଗଡ଼ ବନାଞ୍ଚଳରୁ ରାଇକିଆ ଅଭିମୁଖେ କାଠ ନେଇଯାଉଥିବା ବେଳେ ଧରାପଡ଼ିଥିଲା।ଏନେଇ ବନ ବିଭାଗ ପକ୍ଷରୁ ବନାଞ୍ଚଳ କେସ ନଂ ଓଆର ୦୩/୨୬ ରେ ମାମଲା ରୁଜୁ କରାଯାଇଛି। ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୨ ର ଧାରା ୫୬ ସହ ଓଏଫପିଟି ଆଇନ ୧୯୮୦ ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଜବତ କାର୍ଯ୍ୟରେ ବନପାଳ ଶୁଶାନ୍ତ କୁମାର ବୈଶାଖୀ, ସନ୍ତୋଷ କୁମାର ସେନାପତି, ବନରକ୍ଷୀ ସୁଜାତା ସାହୁ, ମନୋଜ କୁମାର ପ୍ରଧାନ, ମହେଶ ପ୍ରଧାନ ଓ ବନ ସୁରକ୍ଷା ସଦସ୍ୟମାନେ ସହଯୋଗ କରିଥିଲେ।

You might also like
error: Content is protected !!