ବାଲିଗୁଡା,୧୧/୦୪: ସୁକାନ୍ତ କୁମାର ତ୍ରିପାଠୀ
ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଦ୍ୱାରା ଚୟନିତ ହୋଇ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ଅନଲାଇନ ମୂଲ୍ୟାୟନ କେନ୍ଦ୍ର ଆରମ୍ଭ ହୋଇଛି। ଏହା ସହିତ ଗତ ତିନି ବର୍ଷ ଧରି +୨ କଳା ବିଭାଗର ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ସଫଳତାର ସହ ଚାଲିଆସୁଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଭୁତି ଭୁଷଣ ଆଚାର୍ଯ୍ୟ ଉଭୟ ମୂଲ୍ୟାୟନ କେନ୍ଦ୍ରର ଜୋନ୍ ସୁପରଭାଇଜର ଭାବେ ଦାୟିତ୍ୱ ନିଭାଉଛନ୍ତି।ଆଦିବାସୀ ଅଧୁଷିତ କନ୍ଧମାଳ ଭଳି ଅଞ୍ଚଳରେ, ଯେଉଁଠାରେ ବିଦ୍ୟୁତ ଓ ଇଣ୍ଟରନେଟ ସୁବିଧା ସର୍ବଦା ନିର୍ଭରଶୀଳ ନୁହେଁ, ସେଠାରେ ଏପରି ଅନଲାଇନ ଓ

ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ସ୍ଥାପନ ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି। ଫୁଲବାଣୀ ପରେ ଏହା ଜିଲ୍ଲାର ଦ୍ୱିତୀୟ ଏପରି କେନ୍ଦ୍ର ହୋଇପାରିଛି।ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଏହି ସମୟୋଚିତ ଓ ଅଭିନବ ପ୍ରୟାସକୁ ବିଭିନ୍ନ ମହଳରୁ ସାଧୁବାଦ ଜଣାଯାଇଛି।ଏହି ମୂଲ୍ୟାୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସମାପ୍ତ ହେବାକୁ ଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
