ଯୀଶୁଙ୍କ ପୁନରୁତ୍ଥାନ ପର୍ବ ଧୁମଧାମରେ ପାଳିତ : ଦୁଇଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବପିଢିର ଅଭିନବ ପ୍ରଦର୍ଶନ

କନ୍ଧମାଳ, ୦୭/୦୪ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଅଞ୍ଚଳର ବିଭିନ୍ନ ଚର୍ଚ୍ଚରେ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ପୁନରୁତ୍ଥାନ ପର୍ବ ବହୁ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ସ୍ଥାନୀୟ କାଥଲିକ୍ ଚର୍ଚ୍ଚରେ ଧର୍ମଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ମଧ୍ୟରାତ୍ରି ଓ ସକାଳ ସମୟରେ ଦିବ୍ୟ ଯଜ୍ଞ ଆୟୋଜିତ ହୋଇଥିଲା। ଏହି ଅବସରରେ ପବିତ୍ର ବାଇବଲ ପାଠ ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା।ଧର୍ମାଞ୍ଚଳର ଟିଆଙ୍ଗିଆ, ମଣ୍ଡାକିଆ ଓ ସୁଗଡବାଡି଼ ଚର୍ଚ୍ଚରେ ଯାଜକ ପୁରୁଷୋତ୍ତମ ନାୟକ, ଦିବ୍ୟ ରଞ୍ଜନ ଦିଗାଳ, ମାଇକେଲ ବେହେରା ଓ ଜର୍ଜ ବଡ଼ସେଠ୍ ଦିବ୍ୟ ଯଜ୍ଞ ପାଳନ କରିଥିଲେ।ଏହା ସହିତ କାଥଲିକ୍ ସାଂସ୍କୃତିକ କମିଟି ଗଠନର ୨୫ ବର୍ଷ ପୂର୍ତି ଅବସରରେ ‘ରଜତ ଜୟନ୍ତୀ’ ଉଦ୍ୟାପନ କରାଯାଇ ଦୁଇଦିନିଆ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଇକିଆ ବିଜୟ ହାଇସ୍କୁଲ ଖେଳପଡ଼ିଆରେ ସନ୍ଧ୍ୟାବେଳେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ଦ୍ବାରା ଭବ୍ୟ ସାଂସ୍କୃତିକ ଅନୁଷ୍ଠାନ ପ୍ରସ୍ତୁତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଧର୍ମଯାଜକ ପ୍ରଦୋଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। କଟକ-ଭୁବନେଶ୍ୱର ଧର୍ମାଞ୍ଚଳର ମହାଧିକ୍ଷ ସହ ବିଶପ ରବିନ୍ଦ୍ର ରଣସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଯୁବମାନଙ୍କୁ ଉତ୍ସାହିତ କରିଥିଲେ। ଏହାସହ ଅନ୍ୟାନ୍ୟ ଯାଜକ, ସେବା ଭଗ୍ନି ସମୂହ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବରିଷ୍ଠ ନାଗରିକ ଲୋରାନ ସଭା ସୁନ୍ଦରଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ କଳାକାରମାନଙ୍କ ଦ୍ବାରା ପୂର୍ବରୁ ପ୍ରସ୍ତୁତ ‘ସୃଷ୍ଟିର ଅନ୍ତରାଳେ’ ନାଟକକୁ ଅନୁସରଣ କରି ବର୍ତ୍ତମାନର ଯୁବ କଳାକାରମାନେ ନିପୁଣ ଅଭିନୟ ପ୍ରଦର୍ଶନ କରିଥିଲେ।ଏହାସହ ଓଡ଼ିଶାର ପ୍ରସିଦ୍ଧ ସୁସମାଚାର ଗାୟକ ଅମିତ ପାଣି ଯୋଗଦେଇ ପ୍ରଭୁଙ୍କ ଭକ୍ତିମୟ ଗୀତ ଗାନ କରିଥିଲେ, ଯାହାରେ ପରିବେଶ ଆଧ୍ୟାତ୍ମିକ ଭାବରେ ମହକିଉଠିଥିଲା।ସମୁଦାୟର ଅଂଶଗ୍ରହଣ ଓ ଯୁବପିଢିର ସକ୍ରିୟ ଭୂମିକା ଏହି ପର୍ବକୁ ଆହୁରି ଅର୍ଥପୂର୍ଣ୍ଣ କରିଥିଲା।

Smart Computer Ad
You might also like
error: Content is protected !!