କନ୍ଧମାଳ,୫/୪ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ କୋଠା ଗୃହକୁ ଶନିବାର ପୂର୍ବାହ୍ନରେ ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଛାତ୍ରୀଛାତ୍ରମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ବାଜା, ଢୋଲ, ନିସାନ ଓ ତାସାର ଧୁନିରେ ନୃତ୍ୟ କରି କଲେଜର ମୁଖ୍ୟ ଦ୍ୱାରଠାରୁ ନୂତନ ଗୃହ ପର୍ଯ୍ୟନ୍ତ ଆଗ୍ରହର ସହିତ ଅତିଥିଙ୍କୁ ଅଭିନନ୍ଦନ ଜଣାଇଥିଲେ।ପରେ ନୂତନ କୋଠା ଗୃହରେ ଆୟୋଜିତ ସଭାରେ ଉପଜିଲାପାଳ ପ୍ରାଣୀତା ଦାସଙ୍କୁ ଫୁଲ

ତୋଳା ଦେଇ ସ୍ୱାଗତ କରାଯାଇଥିଲା। ଅଧ୍ୟାପିକା ଡ଼. ମଞ୍ଜୁଳା ମହାପାତ୍ର ସଭା ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭାରେ ଉଦ୍ବୋଧନ ଦେଇ ଉପଜିଲାପାଳ ପ୍ରଣୀତା ଦାସ ଛାତ୍ରଛାତ୍ରୀମାନଙ୍କୁ ସେଲ୍ଫ ଷ୍ଟଡିରେ ଗୁରୁତ୍ୱ ଦେବା ସହିତ ପାଠ୍ୟବସ୍ତୁର ମୂଳ ଧାରଣା (କନସେପ୍ଟ) ଭଲଭାବେ ବୁଝିବାକୁ ପରାମର୍ଶ ଦେଇଥିଲେ। ଏହା ସହ ମାଆ, ମାଟି ଓ ସଂସ୍କୃତି ପ୍ରତି ସମ୍ମାନ ରଖିବାକୁ ଓ ନିଜ ମୂଳକୁ କେବେ ଭୁଲିବାକୁ ନାହିଁ ବୋଲି ଉଲ୍ଲେଖ କରିଥିଲେ।ଅଧ୍ୟକ୍ଷ ଡ଼. ସୁନୀଲ କୁମାର ପତ୍ର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଯୁଗ ସହିତ ଖାପ ଖୁଆଇ

ନିଜକୁ ସମୟୋପଯୋଗୀ କରିବା ପାଇଁ ପ୍ରେରିତ କରିଥିଲେ। ପରବର୍ତ୍ତୀ କ୍ରମରେ ସେ ଉପଜିଲାପାଳଙ୍କୁ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀଛାତ୍ରଙ୍କ ଉପସ୍ଥିତି ଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ପଦ୍ମାବତୀ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।
