ବାଲିଗୁଡା, ୧୭/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର ଯାତ୍ରା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ପାଟଖଣ୍ଡା ସେବତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବାରୁ ମନ୍ଦିର ପରିସରରେ ଅପାର ଭିଡ଼ ଦେଖିବାକୁ ମିଳିଥିଲା।ସକାଳୁ ମା’ଙ୍କର ନିୟମିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ସେବତୀ ବେଶ ଦର୍ଶନ ପାଇଁ ପ୍ରତ୍ୟୁଷରୁ ରାତି ପର୍ଯ୍ୟନ୍ତ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗି ରହିଥିଲା। କନ୍ଧମାଳ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରି ମା’ଙ୍କର ଆଶୀର୍ବାଦ ଲାଭ କରିଥିଲେ।ଏହି ଯାତ୍ରା ଅବସରରେ କିଛି ଭକ୍ତମାନେ ନିଜ ସନ୍ତାନଙ୍କର ଚୁଟି ମୁଣ୍ଡନ କରାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା।ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପରିଚାଳନା କମିଟିର ସଦସ୍ୟମାନେ ଓ ପୂଜକମାନେ ସକ୍ରିୟ ଭାବେ ଯୋଗଦେଇ ସହଯୋଗ କରିଥିଲେ।