ଗ୍ୟାସ୍ ଯୋଗାଣରେ ଅନିୟମିତତା: ସମ୍ପୃକ୍ତ ବିତରକଙ୍କ କାର୍ଯ୍ୟାଳୟରେ ଉପଭୋକ୍ତାଙ୍କ ଭିଡ଼

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସମ୍ପ୍ରତି ବ୍ୟବସାୟିକ ଗ୍ୟାସ୍ ଅଭାବ ନେଇ ସହରର ବହୁ ହୋଟେଲ ଓ ଖାଦ୍ୟାଳୟ ବନ୍ଦ ରହିଥିବା ଦେଖାଯାଇଛି। କିଛି ସ୍ଥାନରେ ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରି ବ୍ୟବସାୟ ଚଳାଇବା ସହ ବାହାରେ ବ୍ୟବସାୟିକ ସିଲିଣ୍ଡର ରଖି ଦେଖାଇବା ଘଟଣା ମଧ୍ୟ ସମ୍ମୁଖରେ ଆସିଛି। ଘରୋଇ ଗ୍ୟାସ୍ ସିଲିଣ୍ଡରର କଳାବଜାର ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ନିଗମ ଓ ଯୋଗାଣ ବିଭାଗ ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହା ପରେ ସୋମବାର ଦିନ ସହରରେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାରେ କିଛି ସୁଧାର ଦେଖାଯାଇଥିଲା। ତଥାପି ଏସପିଙ୍କ କାର୍ଯ୍ୟାଳୟ ଓ ବାସଭବନ ନିକଟରେ ଅବସ୍ଥିତ ବ୍ରହ୍ମପୁର ଇଣ୍ଡିଆନ୍ ସର୍ଭିସ୍ ଡିଲରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା। କାର୍ଯ୍ୟାଳୟ ଫାଟକ ବନ୍ଦ ରଖି ଭିତରେ କର୍ମଚାରୀ ଥିବା ବେଳେ ବାହାରେ ଶତାଧିକ ପୁରୁଷ ଓ ମହିଳା ଗ୍ରାହକ ଗ୍ୟାସ୍ ଖାତା ଧରି ଦୀର୍ଘ ସମୟ ଅପେକ୍ଷା କରୁଥିଲେ। କିଛି ଗ୍ରାହକଙ୍କ କହିବା ଅନୁସାରେ ସେମାନେ ଚଳିତ ମାସର ୮ ତାରିଖରୁ ଗ୍ୟାସ୍ ବୁକିଂ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଲିଣ୍ଡର ପାଇନଥିବା ସହ କେବେ ମିଳିବ ତାହା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳୁନାହିଁ। ଏହା ସହ ସାଧାରଣ ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଣ ନ କରି କଳାବଜାରୀ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ପରିସ୍ଥିତିରେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉପଭୋକ୍ତାମାନେ ଶାନ୍ତିରେ ନିଶ୍ୱାସ ମାରିପାରିବେ ତଥା ସରକାର ଓ ପ୍ରଶାସନର ତାଗିଦ୍ ସଫଳ ହେବ।

You might also like
error: Content is protected !!