ପୂର୍ବତନ ଶିକ୍ଷକ ତଥା ବିଶିଷ୍ଟ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ
ବାଲିଗୁଡା : ୧୫/୦୩ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତଥା ବିଶିଷ୍ଟ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷ ବୟସରେ ଶନିବାର ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କର ଶେଷ ସମୟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ନାତି-ନାତୁଣି ସହ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ବାଲିଗୁଡା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସ୍ୱର୍ଗତ ଦାସଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ସ୍ଥାନୀୟ ବଣିକ ସଂଘର ଆହ୍ୱାନରେ ରବିବାର ଦିନ ବାଲିଗୁଡାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।ସ୍ୱର୍ଗତ ରାମକୃଷ୍ଣ ଦାସ ପ୍ରଥମେ ସହକାରୀ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଚାକିରିରୁ ଅବସର ନେବା ପରେ ସେ ବ୍ୟବସାୟ

କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ସମାଜସେବା ମାଧ୍ୟମରେ ଅଞ୍ଚଳରେ ବିଶେଷ ପରିଚିତ ହୋଇଥିଲେ। ସେ ମା’ ପଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି, ବାଲିଗୁଡା ବଣିକ ସଂଘର ସଭାପତି ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଭାବେ ଦାୟିତ୍ୱ ନିଭାଇଥିଲେ। ଏହା ସହ ସେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ସଦସ୍ୟ ଭାବେ ମଧ୍ୟ ସମାଜସେବା କାର୍ଯ୍ୟରେ ସକ୍ରିୟ ଥିଲେ।ସ୍ୱର୍ଗତ ଦାସ ଧର୍ମପରାୟଣ, ପରୋପକାରୀ, ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିବାରୁ ସେ ସମସ୍ତଙ୍କ ମଧ୍ୟରେ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ପରଲୋକରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l