ବାଲିଗୁଡା, ୦୬/୦୩ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାସିଙ୍ଗି ଠାରେ ମହାନ ଜନନାୟକ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଫୋଟୋଚିତ୍ରରେ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରାଯାଇ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ବିଜେଡି କର୍ମୀମାନେ ବିଜେଡି ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଶପଥ ପାଠ କରିଥିଲେ।ସଭାରେ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ କହିଥିଲେ ଯେ ବିଜେପି ସରକାର ଗତ କୋଡ଼ିଏ ମାସ ମଧ୍ୟରେ ଜନତାଙ୍କୁ ଦିଆଯାଇଥିବା କୌଣସି ପ୍ରତିଶୃତି ପୂରଣ କରିନାହିଁ। ବରଂ ସରକାରୀ ଶାସନକାଳରେ ନାରୀ ନିର୍ଯାତନା ବୃଦ୍ଧି ପାଇବା ସହ ଆଇନ ଶୃଙ୍ଖଳା

ପରିସ୍ଥିତି ବିଗିଡ଼ିଛି ଏବଂ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।ସେ ଆହୁରି କହିଥିଲେ ଯେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଜବରଦଖଲ ଉଚ୍ଛେଦ, ଚାଷୀମାନଙ୍କ ସମସ୍ୟା ସମାଧାନ ସହିତ ବିଭିନ୍ନ ଜନସାଧାରଣ ସମସ୍ୟା ନେଇ ବିଜେଡି ସଦା ସର୍ବଦା ଲଢେଇ ଜାରି ରଖିବ। ଆବଶ୍ୟକ ପଡ଼ିଲେ ଲୋକଙ୍କ ନ୍ୟାୟସଙ୍ଗତ ଦାବି ଓ ଅଧିକାର ପାଇଁ ରାଜରାସ୍ତାକୁ ମଧ୍ୟ ଓଲେଇବାକୁ ଦଳ ପ୍ରସ୍ତୁତ ବୋଲି ସେ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରମୋଦ ସାହୁ, ବାଲିଗୁଡା ନଗର ବିଜେଡି ସଭାପତି ଏମ୍.ଡି. ସାବେଜ ଉଦ୍ଦିନ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡା ନିର୍ବାଚନ ମଣ୍ଡଳୀର ଚାରିଟି ବ୍ଲକର ବହୁ ବିଜେଡି ନେତା ଓ କର୍ମୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ।