ବାଲିଗୁଡା, ୨୫/୦୨: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘର ଏକ ଜରୁରୀକାଳୀନ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ବୈଠକର ଆରମ୍ଭରେ ସଂଘର ବାର୍ଷିକ ବିବରଣୀ ପଠନ କରାଯାଇଥିବାବେଳେ ଆୟ-ବ୍ୟୟ ହିସାବର ସମୀକ୍ଷା କରାଯାଇ ସଭାରେ ଉପସ୍ଥାପନ କରାଯାଇଥିଲା। ପରେ ସଂଘର କାର୍ଯ୍ୟକର୍ତ୍ତାମାନଙ୍କ ନିଷ୍ପତ୍ତିକ୍ରମେ ସଂଘକୁ ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଥିଲା।ଏହି ଅବସରରେ ସାବତ ପ୍ରଧାନଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଶ୍ରୀମତୀ ରଶ୍ମିତା ଷଡ଼ଙ୍ଗୀ ଉପସଭାପତି, ଜୟ ପ୍ରକାଶ ପ୍ରଧାନ କାର୍ଯ୍ୟକାରୀ ସଭାପତି, ପ୍ରଶାନ୍ତ କୁମାର ବେହେରା ସମ୍ପାଦକ, କଳା ଶ୍ରୀମୁଖ ପୂଜାରୀ ଉପସମ୍ପାଦକ ଏବଂ ରବିନ୍ଦ୍ର ପାଣିଗ୍ରାହୀ ସାଙ୍ଗଠନିକ ସମ୍ପାଦକ ଭାବେ ଚୟନିତ ହୋଇଛନ୍ତି।ଉପଦେଷ୍ଟା ମଣ୍ଡଳୀରେ ସୁରେଶ ଚନ୍ଦ୍ର ଦାସ, ପଦ୍ମ ଚରଣ ତ୍ରିପାଠୀ, ସନାତନ ପରିଛା ଓ ରାଜୁ ଦିଗାଳଙ୍କୁ ନିୟୋଜିତ କରାଯାଇଥିଲା। ଏହାସହ ପ୍ରତ୍ୟେକ କ୍ଲଷ୍ଟରର ଆଞ୍ଚଳିକ ସାଧନ କର୍ମୀମାନଙ୍କୁ ନିଜ ନିଜ କ୍ଲଷ୍ଟରର ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯାଇଛି।ଶେଷରେ ଯୁଗ୍ମ ସଂଯୋଜକ ଉତ୍କଳ କେଶରୀ ବିଭାର ଧନ୍ୟବାଦ ଜ୍ଞାପନ କରି ବୈଠକର ସମାପନ ଘୋଷଣା କରିଥିଲେ।