ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ୩ ଶିକାରୀ ଗିରଫ : ଡେପୁଟି ରେଞ୍ଜର ଏପର୍ଯ୍ୟନ୍ତ ଫେରାର

ବାଲିଗୁଡା, ୨୩/୦୨ (ସୁକାନ୍ତ କୁମାର ତ୍ରିପାଠୀ)

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ଘଟିଥିବା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଥିବା ତିନି ଜଣ ଶିକାରୀଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ଶିକାରୀମାନେ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁର କ୍ଷମା ପାତ୍ର (୭୬), ବୃଷଭ ପାତ୍ର (୪୪) ଓ ଗୋକୁଳ ପାତ୍ର (୪୧)। ତଦନ୍ତରେ ଜଣାପଡିଛି ଯେ, ଗତ ଜାନୁଆରୀ ୪ ତାରିଖରେ ଏହି ଶିକାରୀମାନେ ବାରହା ଶିକାର ପାଇଁ ମୁଣ୍ଡୁଟି ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିଦ୍ୟୁତ ଫାସରେ ବାରହା ପଡିବା ପରିବର୍ତ୍ତେ ଏକ ହାତୀ ପଡିଥିଲା ଏବଂ ଜାନୁଆରୀ ୫ ତାରିଖରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଥିଲା।ବନ ବିଭାଗ ତଦନ୍ତ ସମୟରେ ଜେରା କରିବାକୁ ଯାଇ ତିନି ଜଣ ଅଭିଯୁକ୍ତ ବିଦ୍ୟୁତ ତାର ବିଛାଇବା ଓ ହାତୀ ମୃତ୍ୟୁ ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସତ୍ୟ ସ୍ୱୀକାର କରିଥିବା ସୂଚନା ମିଳିଛି।ଏହାପୂର୍ବରୁ ଫେବୃଆରୀ ୪ ତାରିଖରେ ଝିରିପାଣି ଅଞ୍ଚଳର ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ତିନିଟି ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ, ସିଂଘ ଓ ବନ୍ୟଜନ୍ତୁଙ୍କ କଙ୍କାଳ ଆଦି ଜବତ କରାଯାଇଥିଲା।ମୋଟେଇ ଏହି ଘଟଣାରେ ଏପର୍ଯ୍ୟନ୍ତ ଛଅ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର ଓ ଜେସିବି ଅପେରେଟର ସହ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ହାତୀ ମୃତ୍ୟୁ ପରେ ଘଟଣାକୁ ଚପେଇଦେବା ପାଇଁ ମୃତ ହାତୀର ଶରୀରକୁ ୩୨ ଖଣ୍ଡ କରି କାଟି ମାଟିତଳେ ପୋତି ଦେଇଥିବା ଅଭିଯୋଗରେ ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି। ତଥାପି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଏପର୍ଯ୍ୟନ୍ତ ଫେରାର ରହିଥିବା ଜଣାପଡିଛି।ସେହିପରି ତଦନ୍ତ ରିପୋର୍ଟ ଚପେଇଦେବା ଅଭିଯୋଗରେ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।ଏ ସମ୍ପର୍କରେ ଅଧିକ ତଦନ୍ତ ଅବ୍ୟାହତ ରହିଥିବା ବିଷୟ ତଦନ୍ତକାରୀ ଅଧିକାରୀ ଏସିଏଫ ମନୋରଞ୍ଜନ ବାଗ ପ୍ରକାଶ କରିଛନ୍ତି।

You might also like
error: Content is protected !!