ବାଲିଗୁଡା, ୧୫/୨ ସୁକାନ୍ତ କୁମାର ତ୍ରିପାଠୀ
ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଳ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ଯାତ୍ରା ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଦୀର୍ଘ ସାତ ଦିନ ପରେ ଉଦଯାପିତ ହୋଇଯାଇଛି। ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ଅଟେ।ସାତ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରତିଦିନ ସନ୍ଧ୍ୟାବେଳେ ଷ୍ଟଲ୍ଗୁଡିକରେ ବିଭିନ୍ନ ପ୍ରକାର ଦେଶୀ ଖାଦ୍ୟପଦାର୍ଥ ଓ ହସ୍ତଶିଳ୍ପ ପଣ୍ୟର ବିକ୍ରୟ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ ନାଚ-ଗୀତ ଓ ଲୋକକଳା ପ୍ରଦର୍ଶନ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ମିଶନ ଶକ୍ତିର ସମୁଦାୟ ୧୧୩ଟି ମହିଳା ଗୋଷ୍ଠୀ ଏହି ମେଳାରେ ଯୋଗଦେଇ ନିଜ ଉତ୍ପାଦ ଓ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ରାଜ୍ୟ ଓ ଜିଲ୍ଲାର ବଛା ବଛା ସାଂସ୍କୃତିକ ଦଳମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।










ଉଦ୍ୟାପନୀ ଉତ୍ସବରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଏପରି କାର୍ଯ୍ୟକ୍ରମର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ସମ୍ମାନୀତ ଅତିଥି ଭାବେ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭମ ଭୋସଲେ, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଫୁଲବାଣୀ ଆଇଟିଡିଏ ପିଏ ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଗଦାଧର ପାତ୍ର ଉପସ୍ଥିତ ଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ଆର୍.କେ. ରକ୍ ଷ୍ଟାର ରୁକୁ ସୁନା ମେଲୋଡି ଗ୍ରୁପ ଦର୍ଶକମାନଙ୍କୁ ମନୋରଞ୍ଜନରେ ବାନ୍ଧି ରଖିଥିଲା। ପ୍ରାୟ ତିନି ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଏବଂ ପ୍ରଶାସନର ପ୍ରୟାସକୁ ପ୍ରଶଂସା କରିଥିଲେ।ଶେଷରେ ମେଳାରେ ଯୋଗଦେଇଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
