ବାଲିଗୁଡ଼ା, ୩/୨: ସୁକାନ୍ତ କୁମାର ତ୍ରିପାଠୀ
ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୪ ଜଣଙ୍କୁ ବନ ବିଭାଗ ଗିରଫ କରିଥିବା ସୂଚନା ମିଳିଛି। ଏଥି ସହିତ ହାତୀର ମୃତଦେହକୁ ଲୁଚାଇବା ପାଇଁ ବ୍ୟବହୃତ ଦୁଇଟି ମାକ୍ସ ପିକଅପ୍ ଗାଡ଼ିକୁ ମଧ୍ୟ ବନ ବିଭାଗ ଜବତ କରିଛି।ହାତୀ ମୃତ୍ୟୁ ଘଟଣାରେ ସିଧାସଳଖ ସଂପୃକ୍ତ ଥିବା ଝିରିପାଣି ଗାଁର ଦୁଇ ଶିକାରୀ ଥବିର ପାତ୍ର ଓ ସିକସନ୍ ପାତ୍ରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ, ଶିକାର କାର୍ଯ୍ୟରେ ବ୍ୟବହୃତ ତାର, ଏବଂ ବିପୁଳ ପରିମାଣରେ ବନ୍ୟଜନ୍ତୁଙ୍କ ଶିଙ୍ଗ, ହାଡ଼, ଚମଡା ଓ ଦାନ୍ତ ଜବତ କରାଯାଇଛି।ନିଲମ୍ବିତ ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କ ସହ ମିଶି ହାତୀର ମୃତଦେହ ଲୁଚାଇବାରେ ସହଯୋଗ କରିଥିବା କେସିଙ୍ଗା ଅଞ୍ଚଳର ଦୁଇ

ଡ୍ରାଇଭର—ଅଲେଖ ହିଆଲ୍ ଓ ଦୁଷ୍ମନ୍ତ ପୋଢ଼କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୫ ତାରିଖରେ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ଘଟିଥିଲା। ଘଟଣାକୁ ଚପାଇବା ଉଦ୍ଦେଶ୍ୟରେ ପ୍ରଥମେ କାଡ଼ାପାନା ନର୍ସରୀରେ ହାତୀର ମୃତଦେହ ପୋତାଯାଇଥିଲା। ପରେ ହାତୀର ମୃତଦେହକୁ ୩୨ ଖଣ୍ଡ କରି କାଟି ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ତହସିଲ ଅଞ୍ଚଳର କେନାଲ ନିକଟରେ ପୋତାଯାଇଥିଲା।ଏହି ଘଟଣାରେ ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଥିବା ବେଳେ, ତାଙ୍କ ଡ୍ରାଇଭର ହୃଷୀକେଶ ପଣ୍ଡା ପୂର୍ବରୁ ଗିରଫ ହୋଇଥିଲେ। ଏହା ସହ ତଦନ୍ତକାରୀ ଅଫିସର ଏସିଏଫ୍ ମଧ୍ୟ ବନ ବିଭାଗକୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ ୪ ଜଣ ନୂତନ ଭାବେ ଗିରଫ ହୋଇଥିବା ବେଳେ, ନିଲମ୍ବିତ ଡେପୁଟି ରେଞ୍ଜର ବିନୟ କୁମାର ବିଶି ଏପର୍ଯ୍ୟନ୍ତ ଫେରାର ଥିବା ଜଣାପଡ଼ିଛି। ବନ ବିଭାଗ ତାଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରିଛି।