ବ୍ରହ୍ମପୁର,(ବିଚିତ୍ର ସାହୁ):-
ବ୍ରହ୍ମପୁର ସହର ଉପକଣ୍ଠ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଯୁବ ରେଡ୍-କ୍ରସ୍ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର୍ ପ୍ରମିଳା ଖାଡ଼ଙ୍ଗା ପୌରୋହିତ୍ୟ କରି ମତଦାତା ଦିବସ ପାଳନର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ l ଯୁବ ରେଡ୍-କ୍ରସ୍ ଅଧିକାରୀ ଡକ୍ଟର୍ ଚିତ୍ତରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ସଂଚାଳିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡକ୍ଟର୍ କୁଳମଣି ଓଝା ଉଦ୍-ବୋଧନ ଦେଇ ଭାରତୀୟ ଗଣତନ୍ତ୍ରର ସୁଦୃଢ଼ ଭିତ୍ତି ଏବଂ ମତଦାତା ତଥା ନାଗରିକମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଇତିହାସ ବିଭାଗ ମୁଖ୍ୟ ଡ. ଦେବରାଜ ସ୍ୱାଇଁ, ପ୍ରାଶାସନିକ ଅଧିକାରୀ ଡ. ଆନନ୍ଦ ସେଠୀ, ହିନ୍ଦୀ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର୍ ଗଙ୍ଗାଧର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l ଅଧ୍ୟକ୍ଷା ଡକ୍ଟର୍ ଖାଡ଼ଙ୍ଗା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ମତଦାନ ଅଧିକାର ଓ ମତଦାତାର ଦାୟିତ୍ୱ ସମ୍ପର୍କିତ ସଂକଳ୍ପପତ୍ର ପାଠ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର, ସ୍ନାତକ ଓ + ୨ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ଛାତ୍ରଛାତ୍ରୀମାନେ ସାମିଲ୍ ହୋଇ ଶପଥଗ୍ରହଣ କରିଥିଲେ l