ବାଲିଗୁଡା: ୧୩/୧୨ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ଝିରିପାଣିର କର୍ଜଣ୍ଡି ଗ୍ରାମ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଦନ୍ତା ହାତୀର ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି l ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ l ଗତ କିଛିଦିନ ହେବ ବେଲଘର ଅଞ୍ଚଳରେ ୯ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିଲେ l ବର୍ତ୍ତମାନ ସମୟରେ ସମସ୍ତ ହାତୀ ଅଞ୍ଚଳ ଛାଡ଼ି ଚାଲିଯାଇଥିବା ବେଳେ ଗୋଠ ଛଡ଼ା ହୋଇ ଏକ ଦନ୍ତାହାତୀ ରହିଯାଇଥିଲା ଏବଂ ତାହାର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି l ଅନ୍ୟପଟେ ବାଲିଗୁଡା ବନଖଣ୍ଡ ଅଧିକାରୀ ଶ୍ରୀ ଘନଶ୍ୟାମ ମହନ୍ତ, ଏସିଏଫଓ ଶ୍ରୀ ସୋମ୍ୟରଞ୍ଜନ ବାଘ ସମେତ ରମାକାନ୍ତ ବେହେରାଙ୍କ ସହ ବେଲଘର ବନାଞ୍ଚଳ ଅଧିକାରୀ ଶ୍ରୀ ବିନୟ ବିଶି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି l