ରାଜ୍ୟ ପୋଲିସ ମୁଖ୍ୟାଳୟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର 41ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସମାରୋହରେ ଡିଜିପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ପୋଲିସର କ୍ରୀଡ଼ାବିତଙ୍କ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତାର ଭୁୟସୀ ପ୍ରଶଂସା କରିଥିଲେ। ଏଥି ନିମନ୍ତେ ବିଗତ ଦିନରେ ସାରା ଦେଶରେ ଓଡିଶା ପୋଲିସର ସୁନାମ ବୃଦ୍ଧି ପାଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।ଏହି ଅବସରରେ ଆମେରିକାର ବିର୍ମିଂହାମ ଠାରେ ଅନୁଷ୍ଠିତ ହେଇଥିବା ବିଶ୍ଵ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ୭ ଜଣ କ୍ରୀଡାବିତଙ୍କ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ମଧ୍ୟ ଡିଜିପି ଉଲ୍ଲେଖ କରିଥିଲେ। ଏହି କ୍ରୀଡ଼ାବିତମାନେ ନିଜର ଦକ୍ଷତା ପ୍ରତିପାଦନ କରି ୧୩ ଗୋଟି ସ୍ଵର୍ଣ, ୩ ଗୋଟି ରୌପ୍ୟ ଏବଂ ୪ ଗୋଟି କାଂସ୍ୟ ପଦକ ବିଜୟ ହୋଇ ଖେଳ ଜଗତରେ ନୂଆ ଇତିହାସ ସୃଷ୍ଟି କରିବା ସହିତ ଓଡ଼ିଶା ପୋଲିସକୁ ଗୌରବମଣ୍ଡିତ କରିଛନ୍ତି ବୋଲି ସେ କହିଥିଲେ । ଆଗାମୀ ଦିନରେ ମଧ୍ୟ ଅନ୍ୟ କ୍ରୀଡ଼ାବିତମାନେ ମଧ୍ୟ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ଅଂଶଗ୍ରହଣ କରି ଓଡିଶା ପୋଲିସର ଗୌରବ ବୃଦ୍ଧି କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ ଡିଜିପି 41 ଜଣ କ୍ରୀଡ଼ାବିତଙ୍କୁ ଉତ୍ତରୀୟ, ନଗଦ ଅର୍ଥ ରାଶି ପ୍ରଦାନ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଆଜିର ଏହି ସମ୍ବର୍ଦ୍ଧନା ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ନକ୍ସଲ ବିରୋଧୀ ଅପରେସନ) ଶ୍ରୀ ସଂଜୀବ ପଣ୍ଡା, ନିର୍ଦ୍ଦେଶକ (ଏସଏଫଏସଏଲ) ଡ଼ ସନ୍ତୋଷ ଵାଲା, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର) ଶ୍ରୀ ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି,ଆଇଜିପି, ଶ୍ରୀ ସତୀଶ ଗଜଭିୟେ, ଆଇଜିପି ଶ୍ରୀ ପ୍ରବୀଣ କୁମାର, ଡିଆଇଜିପି( କେନ୍ଦ୍ରାଞ୍ଚଳ) ଡ଼ଃ ସତ୍ୟଜିତ ନାଏକ, ଡିଆଇଜିପି (ପ୍ରୋଭିଜନିଙ୍ଗ) ଶ୍ରୀ ଚରଣ ସିଂ ମିନା, ଡିଆଇଜିପି, (କାର୍ମିକ) ଶ୍ରୀ ଯୁଗଳ କିଶୋର କୁମାର ବନଥ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବି. ଗଙ୍ଗାଧରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ।ଏଆଇଜି ( ଆଇନ ଓ ଶୃଙ୍ଖଳା) ଶ୍ରୀ ପ୍ରଭାଶଙ୍କର ନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡା ଅଧିକାରୀ ଶ୍ରୀ ନୀଳମାଧବ ସ୍ୱାଇଁ ସମାରୋହକୁ ଆୟୋଜନ ଓ ପରିଚାଳନା କରିଥିଲେ।

Smart Computer Ad
You might also like
error: Content is protected !!