ଭତ୍ତା, ରାଶନ ପାଇଁ ଜଙ୍ଗଲରେ ଚାଲିବାକୁ ପଡ଼େ ୬ କି.ମି.

ଆର,ଉଦୟଗିରି,(ମନୋଜ ପାଢୀ):-

ରାଜ୍ୟ, କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଉପାନ୍ତ ଅଞ୍ଚଳର କେତେକ ଗ୍ରାମ ଏବେ ମଧ୍ୟ ବିକାଶଠାରୁ ଦୂରରେ ରହିଛି। ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧା ଟିକେ ପାଇପାରୁନାହାନ୍ତି। ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ନୂଆ ବିତିସିଂ, ଲକ୍ଷ୍ମୀପୁର ଓ ତଳଲକ୍ଷ୍ମୀପୁର ଗ୍ରାମର ଅଧିବାସୀମାନେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ୫୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ଏହି ତିନିସାହିରେ ଯାତାୟାତ ଲାଗି ଭଲ ରାସ୍ତା ଖଣ୍ଡେ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପାନୀୟଜଳ ସହ ଅନ୍ୟାନ୍ୟ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ଲୋକେ। ଏମିତି କି ଭତ୍ତା ଏବଂ ରାଶନ ଚାଉଳ ଆଣିବା ପାଇଁ କଦୁଆଭର୍ତ୍ତି ମାଟି ରାସ୍ତାରେ ଜଙ୍ଗଲ ଭିତରେ ଚାଲି ଚାଲି ୬ କିମି ଯିବାକୁ ପଡୁଛି। ବିଦ୍ୟାଳୟ ଯିବାକୁ ୩ କିମି ଦୂର ଗୋଷାଣୀ ବ୍ଲକକୁ ଯାଉଛନ୍ତି ଛାତ୍ରୀଛାତ୍ର। ଏଥିପାଇଁ ସେମାନଙ୍କୁ ନାଳ ପାରି ହେବାକୁ ପଡୁଥିବାରୁ ଅଧିକାଂଶ ସମୟରେ ସେମାନେ ପାଠପଢ଼ି ଯିବାକୁ ଅନିଚ୍ଛୁକ ହେଉଛନ୍ତି। ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ିବା ପାଇଁ ୬ କିମି ଜଙ୍ଗଲ ରାସ୍ତାରେ ଯିବାକୁ ପଡ଼ୁଥିବାରୁ ସେମାନେ ଭୟ କରୁଛନ୍ତି ବିଦ୍ୟାଳୟ ଯିବାକୁ। ଯେଉଁମାନେ ଯାଇ ନ ପାରୁଛନ୍ତି, ସେମାନେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଛୋଟ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ନ ଥିବାରୁ ମା’ବାପା ସେମାନଙ୍କୁ ୧୨ କି.ମି. ଦୂର ବିଦ୍ୟାଳୟକୁ ଆଣି ଛାଡୁଛନ୍ତି, ପୁଣି ଛୁଟି ହେଲେ ଆସି ଘରକୁ ନେଉଛନ୍ତି। ଗାଁକୁ ରାସ୍ତା ଭଲ ନ ଥିବାରୁ ଗ୍ରାମକୁ ଏଯାଏ ଚାରିଚକିଆ ଗାଡ଼ି ଆସିନି କି ଗ୍ରାମବାସୀ ଏପର୍ଯ୍ୟନ୍ତ ଚାରିଚକିଆ ଗାଡି ଦେଖିନାହାନ୍ତି। ରାସ୍ତା ଅବସ୍ଥା ହେତୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ହଠାତ୍‌ କାହାର ସ୍ବାସ୍ଥ୍ୟ ଖରାପ ହେଲେ ବାଇକ୍‌ ଅବା ଭାରରେ ବୋହି ଗ୍ରାମବାସୀ ନେଉଛନ୍ତି ଡାକ୍ତରଖାନା। ଗାଁକୁ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇ ନିରାଶ ହୋଇଛନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଖରାଦିନେ ହାଣ୍ଡିଏ ପାଣିକୁ ଦୁଇ ତିନି ଦିନ ରଖି ବ୍ୟବହାର କରୁଥିବା ଗ୍ରାମବାସୀ ବର୍ଷାଋତୁରେ ମଧ୍ୟ ଦେଢ କି.ମି. ଦୂରରୁ ଝରଣା ପାଣି ଆଣି ଚଳୁଥିବା କହିଛନ୍ତି ଗ୍ରାମର ସୁମତ ଗମାଙ୍ଗ, ପ୍ରଦୀପ ଭୂୟଁା ଓ ନରେଶ ନାଥ। ଗ୍ରାମରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଅତି ଆବଶ୍ୟକ ସ୍ଥଳେ ଏହାକୁ ଗରମ କରି ବ୍ୟବହାର କରୁଥିବା କହିଛନ୍ତି ସେମାନେ। ଗ୍ରାମକୁ ପକ୍କାରାସ୍ତା ଓ ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ତିନିସାହିର ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଉନୟନ ଅଧିକାରୀ ଶଙ୍କର କେରକେଟାଙ୍କୁ ପଚାରିବାରୁ ସେ କହିଲେ, ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ରିପୋର୍ଟ ମାଗି କେଉଁ କାରଣରୁ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରିବାରେ ଅବହେଳା ହୋଇଛି ତର୍ଜମା କରାଯିବ। ପରେ ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣ ସହ ଅନ୍ୟ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

Smart Computer Ad
You might also like
error: Content is protected !!