ଭୁବନେଶ୍ୱର,(ଏସ.ଏମ.ପି):-
ଶ୍ରୀହରି ଶୟନ ଏକାଦଶୀ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଦ୍ବାଦଶ ଯାତ୍ରାରୁ ଅନ୍ୟତମ ଯାତ୍ରା ଅଟେ। ରଥଯାତ୍ରାପରେ ଆଷାଢ଼ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କୁହନ୍ତି । ଏହିଦିନ ହରିଶୟନୋତ୍ସବ ପାଳିତ ହୁଏ । ସେଦିନ ଚତୁର୍ଥ ପ୍ରହରର ପୂଜାପରେ ତ୍ରିମୂର୍ତ୍ତିଙ୍କ ପାଖରୁ ବିଜୟପ୍ରତିମାମାନଙ୍କୁ ନାନାଦି ଉପହାର ଦିଆଯାଏ । ପ୍ରାସାଦର ଦକ୍ଷିଣଭାଗସ୍ଥ ସୁସଜ୍ଜିତ ମଣ୍ଡପକୁ ନିଆଯାଇ ସେଠାରେ ଦୋଳରେ ଥିବା ପେଟିକାରେ ତିନି ଠାକୁରଙ୍କୁ ବନ୍ଦକରି ନିକଟସ୍ଥ ଗୃହରେ ଚାରିମାସ ଅର୍ଥାତ୍ ଆଷାଢ଼ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିିକ ଶୁକ୍ଳ ଦଶମୀ ଯାଏଁ ସଂରକ୍ଷିତ ରଖାଯାଏ । ଏହାକୁ ନେଇ ଯେଉଁ ଉତ୍ସବ ହୁଏ, ତାକୁ ହରିଶୟନୋତ୍ସବ କୁହନ୍ତି । ଏହା ଶ୍ରୀ କ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ବିଷ୍ଣୁଙ୍କର ଏହି ଚାରିମାସ ଆବଦ୍ଧ ବା ଶୟନ କାଳକୁ ଚତୁର୍ମାସ୍ୟା ସମୟ ବୋଲି କୁହାଯାଏ । ଏହାକୁ ଏକ ଅଶୁଭ କାଳ ବୋଲି ବିବେଚନା କରାଯାଉଥିବାରୁ , ଏଥିରେ କୌଣସି ଶୁଭକାମ ହୁଏ ନାହିଁ । ଅଥଚ ଏହି ସମୟରେ ବିଷ୍ଣୁଙ୍କୁ ଆରାଧନା କଲେ ବାଞ୍ଛିତ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ । ଚାରିମାସ ଶୟନପରେ କାର୍ତ୍ତିକ ଶୁ୍କ୍ଳ ଦଶମୀ ଦିନ ବିଷ୍ଣୁ ପୁନର୍ବାର ଜାଗ୍ରତ ଅବସ୍ଥାକୁ ଆସନ୍ତି । ମଳମାସକୁ ବାଦଦେଲେ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଏ । ତା ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାର୍ଗଶୀର ଶୁକ୍ଳ ଏକାଦଶୀମାନଙ୍କୁ ବଡ଼ ଏକାଦଶୀ କହନ୍ତି । ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀ । ଏକାଦଶୀ ପୂର୍ବଦିନ ହବିଷାନ୍ନ ବ୍ରତୀମାନେ ଖାଇଥାନ୍ତି ଏବଂ ଏକାଦଶୀଦିନ ଉପବାସ ପାଳନ କରନ୍ତି । ତେବେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଏହି କାଳରେ ଶାକାହାର କିମ୍ବା ଫଳ ଭୋଜନ ପୂର୍ବକ ପାଳନ କରିଥାନ୍ତି । ଏକଦଶୀ ତଥା ଚତୁର୍ମାସ୍ୟା କାଳରେ ବ୍ରତୀମାନେ ନିରୋଳା ଓ ନିର୍ଜନ ସ୍ଥାନରେ ହରିନାମ ଜପରେ ତପସ୍ୟା କରିପାରନ୍ତି । ଗୃହସ୍ଥମାନେ ନିଜନିଜ ଗୃହରେ ପବିତ୍ରତା ସହ ପାଳନ କରିଥାନ୍ତି । ହରିଶୟନ ଏକାଦଶୀକୁ ନେଇ ଏକ କାହାଣୀ ଅଛି । ଏକଦା ସୂର୍ଯ୍ୟବଂଶୀ ରାଜା ମାନଧାତାଙ୍କର ରାଜ୍ୟ ଅଯୋଧ୍ୟାରେ ଅକାଳ ମଡ଼କ ପଡ଼ିଲା । ପ୍ରଜାମାନେ ନାନା ଦୁଃଖରେ ଜୀବନ କଟାଇଲେ ଏବଂ ଭୋକ ଉପାସରେ ମଲେ । ରାଜା ଏହାର ପ୍ରତିକାର ଓ ନିରାକରଣ ପାଇଁ ଅଙ୍ଗିରା ଋଷିଙ୍କୁ ଭେଟିଲେ । ସେ କହିଲେ ଯେ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଛି । ସେ ତାକୁ ବାରଣ କରନ୍ତୁ । ତା’ ହେଲେ ସେ ଏ ଦଶାରୁ ମୁକ୍ତି ପାଇବେ । ଏଥିକୁ ମାନଧାତା କହିଲେ ସେ ତାଙ୍କୁ ବାରଣ କରିପାରିବେ ନାହିଁ । ତା’ର ବି ଈଶ୍ୱରଙ୍କୁ ଭଜିବାର ଅଧିକାର ଅଛି ବରଂ ସେ ତାଙ୍କୁ ଅନ୍ୟ ଉପାୟ ବତାନ୍ତୁ । ରାଜାଙ୍କ ଉତ୍ତରରେ ଅଙ୍ଗିରା ସନ୍ତୁଷ୍ଟ ହୋଇ ହରିଶୟନ ଏକାଦଶୀ ବ୍ରତ ପାଳନ କରିବା ପାଇଁ ପ୍ରବର୍ତ୍ତାଇଲେ ଏବଂ କହିଲେ ଯେ ଏହାଦ୍ୱାରା ବାଞ୍ଛିôତ ଫଳ ପ୍ରାପ୍ତ ହେବ ଏବଂ ସମସ୍ତ ଉପଦ୍ରବମାନେ ଶାନ୍ତି ହେବେ । ଅକାଳ ମୃତ୍ୟୁ ଦୂରେଇ ଯିବ, ରାଜ୍ୟରେ ଯଥା ସମୟରେ ବର୍ଷା ହେବ ଓ ଅରାଜକତା ଦୂର ହେବ ଏବଂ କେବଳ ସେତିକି ନୁହେଁ ଏହିଦିନ ତୁଳସୀ ରୋପଣ ବା ତା’ ବୀଜ ବପନ କଲେ, ବହୁତ ପୂଣ୍ୟ ହୁଏ । ତୁଳସୀ ଗଛ ସ୍ପର୍ଶ ପବନକୁ ବି ଯମଦୂତଙ୍କ ଭୟ । ଯାହା କଣ୍ଠରେ ତୁଳସୀମାଳ ଥାଏ, ତା ଜୀବନ ଧନ୍ୟ । ଧର୍ମ କେବେ ବିଜ୍ଞାନ ରହିତ ନୁହେଁ । ଉପବାସ ଶରୀର ପାଇଁ ବିଜ୍ଞାନ ସମ୍ମତ । ତୁଳସୀ ଗଛର ହାୱାରେ ଜୀବାଣୁମାନେ ନାଶ ଯାଆନ୍ତିି । ଏହା ଏକ ପ୍ରାକୃତିକ ବିଶୋଧକ । ତୁଳସୀ ଗଛ ମୂଳର ଜଳ ଏକ ହଜମକାରୀ ଔଷଧ, ଡାଳ ଚର୍ମରୋଗର ନିରୋଧକ ଏବଂ ପତ୍ର କାଶ, ଶର୍ଦ୍ଦି ଏବଂ ଅନ୍ୟାନ୍ୟ ବାୟୁୂବାହିତ ରୋଗର ପ୍ରତିରୋଧକ । ଏହିକଥାକୁ ସର୍ବ ସାଧାରଣଙ୍କୁ ଧର୍ମ ବାକ୍ୟ ମଧ୍ୟରେ ପ୍ରୟୋଗ କରାଯାଇଛି ଯେ ସେମାନେ ଏହା କରନ୍ତୁ । କାରଣ ଆମ୍ଭେମାନେ ଧର୍ମଭୀରୁ । ଗୋଲକ ଦାସଙ୍କ ଭାଷାରେ :ମୂଳେ ତୋର ଗଙ୍ଗା , ଡାଳେ ତୋର ବିଷ୍ଣୁ, ପତ୍ରେ ଦେବତାଙ୍କ ବାସ ସେ ପତ୍ର ପଡ଼ିଲେ ମଣୋଡି ହୁଅଇ କହଇ ଗୋଲକ ଦାସ । ମଣୋହି କହିଲେ ଭୋଜନଯୋଗ୍ୟ । ତୁଳସୀରେ କର୍ପୁର ଅଂଶ ଥିବାରୁ ଏହାର ପତ୍ରକୁ ଯେଉଁ ଖାଦ୍ୟ ଉପରେ ପ୍ରୟୋଗ କରାଯାଏ, ସେଥିରେ ଜୀବାଣୁ ପ୍ରବେଶ କରନ୍ତି ନାହିଁ । ଏଇଥିପାଇଁ ଅବଢ଼ା ଉପରେ ତୁଳସୀ ପତ୍ର ପକାଯାଏା ।ପରିବେଶ ଜୀବାଣୁ ପ୍ରଦୁଷଣ ଏବଂ ସଂକ୍ରମଣ ନହେବାରେ ଘରବାଡ଼ିରେ ତୁଳସୀ ଗଛ ଲଗାଯାଇଥାଏ । ଏକାଦଶୀ ବ୍ରତରେ ପୂଣ୍ୟଫଳ ଥାଉ କି ନଥାଉ, ଅନ୍ତତଃ ଏହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ ହେତୁ ଅନ୍ତତଃ ସମସ୍ତେ ଏ ବ୍ରତ ପାଳନ କରିବା ବିଧେୟ । ଶ୍ରୀ କ୍ଷେତ୍ରରେ ହରିଶୟନ ଏକାଦଶୀର ଏକ ଭିନ୍ନ ବିଶେଷତ୍ୱ ଅଛି । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ …ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର୍ୟଥାଭବେତ୍ ।ତଦାଶ୍ରାବଣମାସସ୍ୟ ଶୁକ୍ଳେଽପି ହରିବାସରେ ।।ହରେଃ ଶୟନଯାତ୍ରାୟାଃ ବିଧିଃ କାର୍ୟ୍ୟୋ ନ ସଂଶୟଃ ।”ହେ ରାଜା ! ଚତୁର୍ମାସ୍ୟ ମଧ୍ୟରେ ଯଦି କୌଣସି ମାସର ବୃଦ୍ଧି ଦ୍ଵାରା ମଳମାସ ପଡ଼େ, ତେବେ ଶ୍ରାବଣ ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଠାକୁରଙ୍କର ଶୟନଯାତ୍ରା ଅନୁଷ୍ଠାନ କରାଇବ। ଏଥିରେ କୌଣସି ସନ୍ଦେହ ନାହିଁ ।ହରିଶୟନ ଏକାଦଶୀଠାରୁ ଠାକୁର ଚାରିମାସ ଶୟନ କରିଥା’ନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ । ଆଷାଢ଼ ଶୁକ୍ଳ ଏକାଦଶୀରେ ଏହି ଉତ୍ସବ ପାଳନ କରାଯାଏ । ଏହା ହରି ଶୟନ ଯାତ୍ରା ନାମରେ ସୁପରିଚିତ । ଆଷାଢ଼ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ୪ ମାସ ଧରି ଶୟନ କରୁଥିବାରୁ ଏହାକୁ ଚାତୁର୍ମାସ୍ୟା କୁହାଯାଏ । ଏହି ସମୟରେ ସାଧୁ, ସନ୍ଥ, ବୈଷ୍ଣବ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ଚାତୁର୍ମାସ୍ୟା ବ୍ରତ ପାଳନ କରିଥାନ୍ତି । ଆଜି ଠାରୁ ୪ ମାସ ପର୍ୟ୍ୟନ୍ତ କୌଣସି ଶୁଭକାର୍ଯ୍ୟ ହେବ ନାହିଁ ।ଶାସ୍ତ୍ରାନୁଯାୟୀ, ଏହି ସମୟ ମଧ୍ୟରେ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ନିଜ ପିଠରେ ଅବସ୍ଥାନ ପୂର୍ବକ ସମସ୍ତ ପ୍ରକାର ଯାତ୍ରା ନିଷିଦ୍ଧ ହୋଇଥାଏ । ନଚେତ୍ ବିଶ୍ୱ ସମାଜ ପ୍ରତି ଘୋର ବିପତ୍ତି ସୃଷ୍ଟିର ସମ୍ଭାବନା ଦେଖାଦେଇଥାଏ । ଅନ୍ୟ ସମସ୍ତ ଏକାଦଶୀ ପରି ଏହି ଏକାଦଶୀ ନୀତି ପାଳନ କରାଯାଇଥାଏ ।ମହାପ୍ରଭୁଙ୍କ ଶୟନ ନୀତି –ହରିଶୟନ ଏକାଦଶୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘରୁ ତିନି ମୂର୍ତ୍ତି ଶୟନ ଠାକୁର ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ୩ଟି ରୌପ୍ୟ ଥାଳିରେ ବିଜେ ହୋଇଥାନ୍ତି । ତିନି ବାଡ଼ରେ ଯଥାକ୍ରମେ ବଡବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ଵରୀ ଓ ମହାପ୍ରଭୁଙ୍କ ବାଡ଼ରେ ଶ୍ରୀନାରାୟଣ ଏହି ତିନି ଶ୍ରୀବିଗ୍ରହ ମାନଙ୍କଙ୍କୁ ବିଜେ ଶ୍ରୀଅଙ୍ଗ ଲାଗି ହେଲେ ତିନି ଜଣ ପୂଜାପଣ୍ଡା ମହାସ୍ନାନ ପୂଜା ବଢ଼ିଇଥାନ୍ତି । ଏହି ଦିନ ରାତ୍ରିରେ ଦୁଇଥର ବଡ଼ ସିଂହାର ବେଶ ଓ ଭୋଗ ହୋଇଥାଏ । ପ୍ରଥମେ ଶୟନ ଠାକୁରମାନେ ବିଜେ ହୋଇ ଶ୍ରୀଅଙ୍ଗ ଲାଗି ହେବା ପରେ ପୁନଃ ବଡ଼ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ । ଏହି ବିଶେଷ ନୀତିରେ ଭଣ୍ଡାର ମେକାପ, ପାଳିଅ ପଢିଆରି, ତଳୁଚ୍ଛ ମହାପାତ୍ର, ପ୍ରଧାନୀ, ଘଣ୍ଟୁଆ, ଛତାର, ପୂଜାପଣ୍ଡା, କାହାଳିଆ, କୋଠ ସୁଆଁସିଆ, ତାଟ ଦରଜି, ମୁଦିରସ୍ତ, ତଢା଼ଉ କରଣ ପ୍ରମୁଖ ସେବକ ଅଂଶ ଗ୍ରହଣ କରିଥାନ୍ତି । ଶ୍ରୀଜୀଉ ସର୍ବାଙ୍ଗ ଲାଗି ନୂଆ ପତନି ଓ ମାଳଫୁଲ ଲାଗି ବେଶ ହୋଇଥାଏ। ଏହାପରେ ପାଣି ପଡି ଟେରା ବନ୍ଧାଯିବା ପରେ ଘଣ୍ଟ, ଛତ୍ର, କାହାଳି ସହ ବଲ୍ଲଭ ବଡ଼ସିଂହାର ହୋଇଥାଏ । ଏହା ଷୋଡଶ ଉପଚାର ବିଧିରେ ଅନୁଷ୍ଠିତ ହୋଇଥାଏ ।ଭୋଗ ସରି କର୍ପୂର ଆଳତି ବଢିଲେ ଶୟନ ପ୍ରତିମା ମାନେ ହସ୍ତରେ ବିଜେ ହୋଇ ସାତ ପାହାଚ ଓ ଜଗମୋହନ ଦେଇ ଭଣ୍ଡାର ଘର ନିକଟରେ ପହଂଚିଥାନ୍ତି । ଶୟନ ଘରେ କୋଠ ସୁଆଁସିଆ ଦେଇଥିବା ପେଡାତାଟ ଏବଂ ଦର୍ଜି ସେବାୟତ ଦେଇଥିବା ଶେଜ ଓ ମାଣ୍ଡିରେ ଶୟନ ଠାକୁରଙ୍କୁ ଶୟନ କରାଯାଏ । ଏହାପରେ ମୁଦିରସ୍ତ ସେବାୟତ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି ଓ ସାତକାଳୀ ସଞ୍ଜବତୀ, ଦୁର୍ବାକ୍ଷାତ ବନ୍ଦାପନା ଇତ୍ୟାଦି କରିବା ପରେ ପେଡା ବନ୍ଦ କରି ତହିଁ ଉପରେ ଖୋଳ ପକାନ୍ତି । ଏହି ନୀତି ସମାପ୍ତ ପରେ ସଂପୃକ୍ତ ସେବାୟତମାନେ ବାହାରକୁ ଆସିବା ପରେ ତଢ଼ାଉକରଣ ସେବକ ଶୟନ ଘର ଦ୍ଵାରକୁ ମୁଦ ଦେଇଥାନ୍ତି ।ଯେଉଁମାନେ ବର୍ଷରେ ୧୨/୨୪ ଟି ଏକାଦଶୀ ପାଳନ କରୁଥିଲେ, ସେମାନେ କ୍ରମଶଃ ଏକାଦଶୀ ପାଳନ କରିବେ । ଯେଉଁମାନେ କେବଳ ୪ ଟି ବଡ ଏକାଦଶୀ ପାଳନ କରୁଥିଲେ, ସେମାନେ ଏହି ଆଷାଢ଼ ଶୁକ୍ଳ ଏକାଦଶୀ ଛାଡି ଶ୍ରାବଣ ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ ଭାବରେ ଗ୍ରହଣ କରି ପାଳନ କରିଥାନ୍ତି ।#ଏକାଦଶୀ_ମାହାତ୍ମ୍ୟ#ଆଷାଢ଼_ଶୁକ୍ଳ_ଏକାଦଶୀ ଯୁଧିଷ୍ଠିର_ଉବାଚ କହନ୍ତି ରାଜା ଯୁଧିଷ୍ଠିର। ଶୁଣ ହେ ପ୍ରଭୁ ଦାମୋଦର।। ଆଷାଢ଼ ଶୁକ୍ଳ ଏକାଦଶୀ। ନାମେ କି ଏଥି ବିଧି ମିଶି।। ଶ୍ରୀକୃଷ୍ଣ_ଉବାଚ ପଣ୍ଡୁ ନନ୍ଦନେ ପଚାରନ୍ତେ। ଅଚ୍ୟୁତ କହନ୍ତି ସାକ୍ଷାତେ ।।ଆଷାଢ଼ ଶୁକ୍ଳ ଏକାଦଶୀ। ନାମେ କାମିକା ବୋଲି ଭାଷି ।।ସେ ମହାପୁଣ୍ୟ ମୋକ୍ଷ ଦାନୀ। ଯେ କରେ ସର୍ବ ପାପହାନୀ ।।ଯାହାକୁ ଶୁଣନ୍ତେ ସତ୍ୱର। ମିଳଇ ବାଜପେୟ ଫଳ।। ପାପୀଙ୍କ ପାପକ୍ଷୟ ପାଇଁ। ଏଥିରୁ ଶ୍ରେଷ୍ଠ ବ୍ରତ ନାହିଁ।। କହୁଛି ସତ୍ୟ ସତ୍ୟ ଜାଣ। ଧାତାର ନାହିଁ ନା ଭିଆଣ।। ଏଥିରୁ ପର ନରନାଥ। ମୋକ୍ଷ ହେବାକୁ ନାହିଁ ବ୍ରତ।। ହେ ନୃପ କଥା ଏବେ କର। କହଇ ଯାହା ମୁଁ ବିଚାର।। ହେ ମହାରାଜ ତୁମ୍ଭେ ଶୁଣ। ଶ୍ରବଣେ ଅଛି ମହାପୁଣ୍ୟ।। ଯେ ଏହା ଶ୍ରବଣ କରନ୍ତି। ଅତି ଉତ୍ତମ ଗତି ପାନ୍ତି।। ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।। ମୋଠାରୁ ଭକ୍ତିପର ଯେହି। ବୈଷ୍ଣବ ବୋଲି ତାକୁ କହି।। କାମିନୀ ଏକାଦଶୀ ଦିନ। ଯେ ପୂଜେ ପଞ୍ଚ ଯେ ବାମନ।। ଯେ ତିନି ଦେବଙ୍କ ସହିତେ। ପୂଜିଲା ତିନିଲୋକ ହିତେ।। ଯେ କଲା ଏ ହରିବାସର। ଯେ କଲା ପୂଜା ଚରାଚର।। ଯୁଧିଷ୍ଠିର_ଉବାଚ ହେ କୃଷ୍ଣ ପୁରୁଷ ଉତ୍ତମ। ସଂଶୟ ହେଉଅଛି ମମ।। କି ରୂପେ ଶୋଇଲେ ଦେବେଶ। କି ରୂପେ ବଲିକ ପ୍ରବେଶ।। ସେ କାଳେ ଭୂମିଜନମାନେ। କି କରୁଥିଲେ ଅବା ଆନେ।। ହେ ମହାପ୍ରାଜ୍ଞ ମୋତେ କହ। ତୁଟୁ ମୋ ଏମନ୍ତ ସନ୍ଦେହ।। ଶ୍ରୀକୃଷ୍ଣ_ଉବାଚ ଶୁଣ ରାଜନ ପୂର୍ବ କଥା। ଯା ଶୁଣି ତୁଟେ ଭବ ବ୍ୟଥା।। ଯାହାକୁ ଶୁଣିଲେ ନିଶ୍ଚୟ। ହୁଅଇ ସର୍ବ ପାପକ୍ଷୟ।। ପୂର୍ବେ ସତ୍ୟ ଯୁଗେ ବଳି ।ଦାନୀଙ୍କ ମଧ୍ୟେ ଥିଲା ବଳୀ।। ମୋତେ ସେ ନିଜେ ପୂଜା କରି ।ମୋଠାରେ ଥାଏ ଭକ୍ତି ଧରି।। ମୁଁ ତାର ପରମ ଅୟନ। ଯଜ୍ଞରେ କରେ ମୋ ପୂଜନ।। ଯଜ୍ଞ ବା ଅନ୍ୟ ଧର୍ମମାନ। ପରମ ଭକ୍ତରେ ନିୟମ।। ପରମ ଶୁଭକୁ ବିଚାରି ।ଦେବ ରାଜ୍ୟକୁ ସ୍ତୁତି କରି।। ଚନ୍ଦ୍ର ହିଁ ମୋତେ ପୂଜା କରେ। ଗୁରୁ ଦେବତା ସହିତରେ।। ପଞ୍ଚମ ଅବତାର ମୁହିଁ। ବାମନ ବିପ୍ର ରୂପ ହୋଇ।। ମର୍ତ୍ତ୍ୟ ରାଜନ ନାହାବଳି। ଧ୍ୟାନେ ଜାଣିଣ ମୁଁ ଜିଣିଲି।। କେବଳ ସ୍ଥାନ ପାଦତ୍ରୟ। ମାଗିଲି ଦେଇ ମୁଁ ଅଭୟ।। ଶୁକ୍ର ବଳିକି ନିରୋଧିଲା। କପଟି ବିଷ୍ଣୁ ଏ ବୋଇଲା।। ସଂକଳ୍ପ ସତ୍ୟବାକ୍ୟ ଘେନି। ସମର୍ପି ଦେଲା ସେ ଅବନୀ।। ତତ୍କ୍ଷଣେ ଧଇଲି ମୁଁ ରୂପ। ଯେ ହେଲା ବ୍ରହ୍ମାଣ୍ଡ ସ୍ୱରୂପ।। ଶୁଣ ମୋ ରୂପ ଅବସ୍ଥାନ। ଯା ଦେଖି ତ୍ରସ୍ତ ସର୍ବଜନ।। ଭୂଲୋକ ପାଦନ୍ୟାସ କଲି। ଭୂବଲୋକରେ ଜାନୁ ଭରି।। ସ୍ୱର୍ଲୋକେ କଲି କଟିନ୍ୟାସ। ଉଦର ମହର୍ଲୋକ ବାସ।। ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।। ହୃଦୟେ ହେଲା ଜନଲୋକ। କଣ୍ଠକୁ ଜାଣ ତପଲୋକ।। ସତ୍ୟଲୋକରେ ମୁଖ ମୋର। ତଦୁର୍ଦ୍ଧେ ମସ୍ତକ ମୋହର।। ନକ୍ଷତ୍ର ସହ ଗ୍ରହ ଗଣେ। ଇନ୍ଦ୍ର ସହିତେ ଦେବଗଣେ।। ଏମାନେ ସର୍ବ ସ୍ତୁତି କଲେ। ବେଦୋକ୍ତ ବିବିଧ ସୂତ୍ରରେ।। କଳିକି କରେ ଧରି ମୁହିଁ। ପାଦେକ ପୂର୍ଣ୍ଣ କଲି ମହୀ।। ଅନ୍ୟ ପାଦରେ ସ୍ୱର୍ଗ ବ୍ୟାପୀ। ତୃତୀୟ ବଳି ଶିରେ ଚାପି।। ଦାନବ ମୋ ପାଦ ଭାରେଣ। ରସାତଳକୁ ଗଲା ଜାଣ।। ଯୁଧିଷ୍ଠିର_ଉବାଚ ଶୁଣ ଏମନ୍ତ ଯୁଧିଷ୍ଠିର। ବୋଲନ୍ତି ପ୍ରଭୁ ଦାମୋଦର।। ରସାତଳକୁ ଗତ ହୋଇ। କି କଲା ବଳି ତହିଁ ଥାଇଁ।। କହିବା ପ୍ରଭୁ ନାରାୟଣ। ଯେଣୁ ସେ ବିଷ୍ଣୁ ପରାୟଣ।। ଶ୍ରୀକୃଷ୍ଣ_ଉବାଚ ବିନୟେ କଲା ବଳି ସ୍ତୁତି। ତେଣୁ ପ୍ରସନ୍ନ ଯଦୁପତି।। ଅଭୟେ ଦେଇ ତାହା ପୁରେ। ରହିଲେ ଗଦାଧର କରେ।। ଆଷାଢ଼ ଶୁକ୍ଳ ହେ କାମିକା। ତହିଁରେ ମୋର ମୂର୍ତ୍ତି ଏକା।। ବଳିର ଆଶ୍ରୟ ହୋଇଛି। ଅପରା ଶେଷ ପୃଷ୍ଠେ ଅଛି।। କ୍ଷୀର ସାଗର ମଧ୍ୟଦେଶ। ତହିଁରେ ମଣ୍ଡପ ବିଶେଷ।। ତହିଁରେ ଶେଷର ଉପର। ଶୋଇଲେ ପ୍ରଭୁ ଚକ୍ରଧର।। କାର୍ତ୍ତିକ ଶୁକ୍ଳ ଏକାଦଶୀ। ଅବଧି କରି ଦେବେ ଭାଷି।। ଯେ ଯାହା କାର୍ଯ୍ୟେ ଏବେ ଗଲେ। ପ୍ରଭୁ ନିଦ୍ରାକୁ ଆଚରିଲେ।। ଶୟନ ଉତ୍ଥାପନ ଯାଏଁ।ଯେ ଚତୁର୍ମାସ୍ୟା ବ୍ରତ ହୁଏ।। ପାଆନ୍ତି ସେ ପରମ ପଦ। ସେ ସର୍ବ ସୁଖର ସମ୍ପଦ।। ତେଣୁ ଏ ବ୍ରତକୁ ଯତ୍ନରେ। କରିବେ ନରେ ସୁମନରେ।। ଏଥିରୁ ଶ୍ରେଷ୍ଠତର ହୋଇ। ପବିତ୍ର ପାପ ନାଶି ନାହିଁ।। ଯହିଁରେ ଶୁଅନ୍ତି ମୁରାରି। ଶ୍ରୀହସ୍ତେ ଶଙ୍ଖ ଚକ୍ରଧାରୀ।। ତହିଁରେ ନାରାୟଣ ପୂଜା। ଜାଣ ହେ ଯୁଧିଷ୍ଠିର ରାଜା ।।ଭକ୍ତିରେ ଏ କାମିକା ବ୍ରତ। କରି ଯେ ହୁଅଇ ଜାଗ୍ରତ।। ହୋଇଲେ ଚତୁର୍ମୁଖେ ଦେବେ। ତା ପୁଣ୍ୟ କହି ନ ପାରିବେ।। ଯେହୁ କାମିକା ଉପବାସେ। ନିଏ ସେ ମୋର ଲୋକବାସେ।। ସେ ବ୍ରତମାନଙ୍କ ଉତ୍ତମ। ସମସ୍ତ ପାପ ନାଶ କ୍ଷମ।। ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।। ଭକ୍ତି ମୁକ୍ତିକି ଏ ହୁଅଇ। ଏଣୁ କାମିକା ସମ ନାହିଁ।। ସ୍ୱାମୀ ଶୟନ ଅନ୍ନ ଦାନ। ପଲାଶ ପତ୍ରରେ ଭୋଜନ।। ଏ ବ୍ରତ ନେଇ ଚତୁର୍ମାସ। ମତେ କରଇ ପ୍ରୀତିବଶ।। ଶ୍ରୀବଣ ସକାଳ ଭୋଜନ। ଦଧିକି ଭାଦ୍ରେ ବିସର୍ଜନ।। ଆଶ୍ୱିନେ ଦୁଗ୍ଧତ୍ୟାଗ ହୋଇ।କାର୍ତ୍ତିକେ ଦ୍ୱିବେଳ ନ ଖାଇ।। ବ୍ରହ୍ମଚର୍ଯ୍ୟକୁ ବରି ନର। ପାଏ ପରମ ରତି ସାର।। କରି ସେ ଏକାଦଶୀ ବ୍ରତ। ଲୋକେ ହୁଅନ୍ତି ପାପ ମୁକ୍ତ।। ସର୍ବଥା କର୍ତ୍ତବ୍ୟ ଏ ଘେନି। ଏ ଲାଭ ଥିବ ମନେ ଘେନି।। ଶୟନ ବୋଧିନୀ ଏ ଦୁଇ। ମଧ୍ୟେ ଯେ କୃଷ୍ଣ ବ୍ରତ ହୋଇ।। ସେହି ସେ ଉପାସ୍ୟ ଜାଣିବ। ଗୃହସ୍ଥେ ଅନ୍ୟ ନ ଗଣିବ।। କରି ଯେ ଏକାଦଶୀ ବ୍ରତ। ଶୁଣେ ଯେ ମାହାତ୍ମ୍ୟ ନିୟତ।। ସେ ସର୍ବ ପାପୁ ମୁକ୍ତ ହୁଏ। ଅଶ୍ୱମେଧର ଫଳ ପାଏ।। ଇତି ଶ୍ରୀ ସ୍କନ୍ଦ ପୁରାଣେ ଆଷାଢ଼ ଶୁକ୍ଳ ଦେବଶୟନ କାମିକା ନାମୈକାଦଶୀ ମାହାତ୍ମ୍ୟେ ନାମ ଷୋଡଶୋଽଧ୍ୟାୟଃ।
