ଉତ୍ତମ ଫସଲ ଓ ଶାନ୍ତିପୁର୍ଣ ଜୀବନଯାପନ ପାଇଁ ଗଜପତିର କୁଇ କନ୍ଧଙ୍କ ସଡ୍ରା ପର୍ବ ପାଳିତ

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲାରେ କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ନିଆରା ପର୍ବ ସଡ୍ରା ଅନ୍ୟତମ ମୁଖ୍ୟ ପର୍ବ ଅଟେ. କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ସମ୍ପୂର୍ଣ ବିଶ୍ୱାସ ରହିଛି ସଡ୍ରା ପର୍ବକୁ ନିଷ୍ଠାର ସହ ପାଳନ କଲେ ଚାଷ ଜମିରୁ ଉତ୍ତମ ଫସଲ ଆଦାୟ ହେବା ସହ ବିଭିନ୍ନ ରୋଗ ସଂକ୍ରମଣରୁ ଲୋକେ ମୁକ୍ତ ରହିବା ସହ ବର୍ଷ ସାରା ଆନନ୍ଦରେ ଜୀବନ ଯାପନ କରିବେ. ଗଜପତି ଜିଲ୍ଲାର ମୋହନା ବ୍ଲକ୍ କର୍ଡବାଡ଼ି ପଞ୍ଚାୟତ ପରମଙ୍ଗା ଓ ଗୋପଟିମା ଗ୍ରାମରେ ଏହି ପାଳିତ ହୋଇଯାଇଛି। ପରମଙ୍ଗା ଗାଁ ଜଙ୍ଗଲ ମଧ୍ୟରେ ତଲମ୍ବା ପିନୁ ଦେବତାଙ୍କୁ ପୂଜନ ପୂର୍ବକ ତିନି ଦିନ ଧରି ହେଉଥିବା ଏହି ପର୍ବର ପ୍ରଥମ ଦିନରେ ଗ୍ରାମର ଆବାଳ ବୃଦ୍ଧ ବନିତା ଭୋରରୁ ଶଯ୍ୟା ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରନ୍ତି। ଆରାଧ୍ୟ ଦେବତା ଗୁଙ୍ଗିଙ୍କୁ ଦର୍ଶନ କରନ୍ତି। ପୂଜକ ଜାନୀ ଡଡ୍ର ମଳିକ ପୂଜାର୍ଚ୍ଚନା କରି ପ୍ରଥମେ ବାଳଭୋଗ ଭାବେ ଫଳ ଭୋଗ କରନ୍ତି । ତା’ପରେ ନିଜେ ରୋଷେଇ କରିଥିବା ମହୁଲି ମଦକୁ ଗୁଙ୍ଗି ଓ ମାଟି ମା’ଙ୍କୁ ଅର୍ପଣ କରନ୍ତି। ଦ୍ଵିତୀୟ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହିତ ନାଚ, ଗୀତ ଓ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଗ୍ରାମବାସୀ ପରିକ୍ରମା କରନ୍ତି । ୩ ଦିନ ପର୍ଯ୍ୟନ୍ତ ଗ୍ରାମରେ ପିଆଜ, ରସୁଣ ଓ ଆମିଷ ନିଷେଧ ହୁଏ। ଶେଷ ଦିନ ଆଖପାଖ ଗ୍ରାମରୁ ଆସିଥିବା ବନ୍ଧୁବାନ୍ଧବ ଏକାଠି ଭୋଜି କରନ୍ତି ଏବଂ ଆମିଷ ଖାଆନ୍ତି। ଏହାପରେ ଚାଷଜମିରେ ବିହନ ବୁଣା ଯାଏ. ଏହି ସମ୍ପ୍ରଦାୟର ବିଶ୍ୱାସ ରହିଛି ଯେ ସଡ୍ରା ପର୍ବକୁ ଠିକ ଭାବେ ପୂଜାଅର୍ଚ୍ଚନା କରିବା ଦ୍ୱାରା ଭଲ ଫସଲ ଆଦାୟ ହେବା ସାଙ୍ଗକୁ ବିଭିନ୍ନ ରୋଗ ସଂକ୍ରମଣରୁ ଲୋକମାନେ ମୁକ୍ତ ହେବା ସହ ଶାନ୍ତି ଶୃଙ୍ଖଳା ଓ ଆନନ୍ଦରେ ବର୍ଷ ସାରା ଜୀବନଯାପନ କରିପାରିବେ. ତେଣୁ ଏହି ପର୍ବକୁ ପ୍ରତେକ ବର୍ଷ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି.

You might also like
error: Content is protected !!