ଗୁମ୍ମା ବ୍ଲକ ଗାଇବା ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହ କରି ପତ୍ନୀଙ୍କୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା 

ଆର,ଉଦୟଗିରି.(ମନୋଜ ପାଢୀ):-

ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗାଇବା ଗ୍ରାମରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି. ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀଙ୍କୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ପତ୍ନୀକୁ ଶିଳପୁଆରେ ଛେଚି ନିର୍ମମ ହତ୍ୟା କରିଛି ସ୍ଵାମୀ | ମୃତକ ହେଲେ ଜି. ମାଲେସୁଙ୍କ ଝିଅ ମୋନିକା ପାଇକା ତେବେ ପତ୍ନୀକୁ ହତ୍ୟା କରିବା ପରେ ନିଜେ ସ୍ଵାମୀ ନରେନ୍ଦ୍ର ପାଇକ ମଧ୍ୟ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ନରେନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ. ଏଥିରେ ସେ ପତ୍ନୀଙ୍କ ପରକୀୟା ପ୍ରୀତି ରହିଥିବା ସନ୍ଦେହ କରୁଥିବା ଓ କାହାରିକୁ ଛାଡ଼ିବେ ନାହିଁ ବୋଲି କହିଥିଲେ। ତେଣୁ ପରକୀୟା ପ୍ରୀତି ସନ୍ଦେହରୁ ସ୍ବାମୀ ନରେନ୍ଦ୍ର ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋନିକାଙ୍କ ରକ୍ତ ଜୁଡୁବୁଡୁ ଶବ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ କେସ୍ ନମ୍ବର ୩୮/୨୫ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତକାଲି ଭୋର୍ ୩ଟା ବେଳେ ନରେନ୍ଦ୍ର ହତ୍ୟାକାଣ୍ଡ ଘଟାଇବା ପରେ ନିଖୋଜ ରହିଥିଲା । ହେଲେ ସନ୍ଧ୍ୟାରେ ଗାଁ ନିକଟ କାଜୁ ଜଙ୍ଗଲରେ ଶବ ଝୁଲୁଥିବା ପୁଲିସକୁ ଖବର ମିଳିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ସତ୍କାର ପାଇଁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି. ଏହି ୨ ଟି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି l

You might also like
error: Content is protected !!