ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିର୍ଦ୍ଧେଶ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ହୋଇଛି l ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହା କହିଛନ୍ତି l ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଥିବା କୁହାଯାଇଛି l ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ ଏସ୍‌ଆଇଟି ଗଠନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି l ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଜେନା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ବିଭାଗୀୟ ଅଧିକାରୀଙ୍କ ସହ ଉକ୍ତ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରିଥିଲେ l ଦୀର୍ଘଦିନ ଧରି ଜଙ୍ଗଲ ମଧ୍ୟରେ ବେଆଇନ ଖଣି ଖନନ ଓ ଚାଲାଣ ଚାଲିଥିବା ରିପୋର୍ଟ ସଂଗ୍ରହ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା ହୋଇଥିଲା l ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁର୍ନୀତି ବିରୋଧରେ ବିଶେଷକରି ଖଣି ଦୁର୍ନୀତି ସମ୍ପର୍କରେ ସବୁବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି । ଖଣି ଦୁର୍ନୀତିର ମୂଳୋତ୍ପାଟନ କରାଯିବ ବୋଲି ସେ ବାରମ୍ୱାର କହିଆସିଛନ୍ତି l ଖଣି ମନ୍ତ୍ରୀ ଶ୍ରୀ ଜେନା ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲା ହେମଗିରି ତହସିଲରେ ୨୨ଟି ଖଣିରୁ ବେଆଇନ ଭାବେ ୯୮୪୩ ମେଟ୍ରିକ୍‌ ଟନ୍‍ରୁ ଅଧିକ ପରିମାଣର କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଏଥିସହିତ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗ୍ରାମରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯିବାର ସୂଚନା ମିଳିଛି । ସେହିପରି କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆଠାରେ ୪୭ଟି ମାଙ୍ଗାନିଜ୍‍ ଓ ୩ଟି ଲୌହ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍‍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି । ଏହି ମୋଟ ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗ୍ରାମରେ, ୧୦ଟି ମାଲଦା ଗ୍ରାମରେ, ୨୦ଟି କୋଲମଙ୍ଗ ଗ୍ରାମରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୁସିବେଣୁଆ ଗ୍ରାମରେ ରହିଛି । ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ମାଙ୍ଗାନିଜ ଓର୍‍ ଏବଂ ୧୨୦୦ ମେଟ୍ରିକ୍‌ ଟନ୍‍ରୁ ଊର୍ଦ୍ଧ୍ୱ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି । ଅନୁଷ୍ଟିତ ସାମ୍ୱାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ବିଜେପି ଜିଲ୍ଲା ସଭାପତି ସରୋଜ ସାବତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଯୁବ ନେତା ସୁନିଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ 

Smart Computer Ad
You might also like
error: Content is protected !!