ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଥିବା ବେଳେ ମହାନଗର ନିଗମ ସୁଧୁରି ପାରୁ ନାହିଁ l ପ୍ରତି ବିଭାଗର ଯେ କୌଣସି କାମକୁ ଲକ୍ଷ୍ୟକଲେ କୋଟି କୋଟି ଟଙ୍କାର ଦୁର୍ନୀତି l ରୋଡ, ଡ୍ରେନ ଠାରୁ ଆରମ୍ଭ କରି ମଶା ମାରା,ବନ୍ଧ ଖୋଲା , ଗଛ ଲଗା ,କାନ୍ଥରେ ଚିତ୍ର ଆଙ୍କିବା, ପାର୍କ ନବୀକରଣ ,ବାଉଁଶ ବ୍ୟାରିକେଟ ,ସ୍ୱାୟତ୍ତ ଶାସନ ଦିବସ ପାଳନରେ କୋଟି କୋଟି ଟଙ୍କାର ଦୁର୍ନୀତି ନଜରକୁ ଆସୁଛି l ଆଇନଜୀବୀ ତଥା ବିଜେପି ନେତା, ପୀତବାସ ପଣ୍ଡା ଖରାଦିନେ ଲୋକଙ୍କୁ ପିଇବା ପାଇଁ ମହାନଗର ନିଗମ ତରଫରୁ ଯେଉଁ ଜଳଛତ୍ର ଖୋଲାଯାଉଛି ସେଥିପାଇଁ ମହାନଗର ନିଗମ କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ଜାଣିବାକୁ ଚାହିଁଛନ୍ତି l ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ସେ ଚାହିଁଥିଲେ । ମହାନଗର ନିଗମ ଗତ ପାଞ୍ଚ ବର୍ଷର ଦେଇଥିବା ତଥ୍ୟ ଅନୁଯାୟୀ ୨୦୨୧ ଓ ୨୦୨୨ ମସିହାରେ ସହରରେ କୌଣସି ଜଳଛତ୍ର ଖୋଲାଯାଇ ନଥିବା ପ୍ରକାଶ କରିଛି । ୨୦୨୩ ମସିହାରେ ସହରରେ ମାତ୍ର ଚାରୋଟି ଜଳଛତ୍ର ଖୋଲା ଯାଇଥିଲା । ତେବେ ୨୦୨୪ ମସିହାରେ ହଠାତ୍ ମହାନଗର ନିଗମ ସହରରେ ୫୩ ଗୋଟି ଜଳଛତ୍ର ଖୋଲିଥିଲା ଓ ସେଥିପାଇଁ ୨୩ ଲକ୍ଷ ୮୭ ହଜାର ୫୦୫ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି । ଏହି ଘଟଣାକୁ ନେଇ ଆଇନଜୀବୀ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ ୨୦୨୩ ମସିହାରେ ମାତ୍ର ଚାରୋଟି ଜଳଛତ୍ର ଖୋଲିଥିବା ବେଳେ ୨୦୨୪ ମସିହାରେ ୫୩ ଗୋଟି ଜଳ ଛତ୍ର ଖୋଲିବାର ଉଦ୍ଧେଶ୍ୟ କଣ ଥିଲା ? ଖୋଲା ବଜାରରେ ପାଣିକୁ ଶୁଦ୍ଧ କରୁଥିବା ୪୦ ଲିଟର୍ ମେସିନ୍ ର ଦାମ୍ ୪୦ ହଜାର ଟଙ୍କା ମାତ୍ର। ଏହାକୁ ଯଦି ସହରର ବିଭିନ୍ନ ଛକ ମାନଙ୍କରେ ସ୍ଥାୟୀ ଭାବରେ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ତେବେ ଏହି ବିପୁଳ ଧନ ରାଶିରେ ପ୍ରାୟ ୪୭ ଗୋଟି ପାଣି ଶୁଦ୍ଧ କରୁଥିବା ମେସିନ୍ ସ୍ଥାୟୀ ଭାବରେ ସହରରେ ସଂଯୋଗ ହୋଇ ପାରିଥାନ୍ତା । ଜନ ସାଧାରଣ ବର୍ଷ ତମାମ ଶୁଦ୍ଧ ପିଇବା ପାଣି ଏଥିରୁ ପାଇ ପାରିଥାନ୍ତେ । ବ୍ରହ୍ମପୁର ମହାନଗର ନିଗମ ଏହି ବିପୁଳ ଧନ ରାଶି ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି । ଲୋକଙ୍କ ଟଙ୍କାକୁ ହରି ଲୁଟ କରିବା ବନ୍ଦ କରିବା ସହ ଏହି ଘଟଣାର ତଦନ୍ତ କରାଯାଉ ବୋଲି ଆଇନଜୀବୀ ପୀତବାସ ପଣ୍ଡା ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।
