ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ବର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କହିଥିଲେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତାର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧୀ ଧରି ସୀମାନ୍ତ ଅଂଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁ ଶିଷ୍ୟ ପଦ୍ଧତିରେ କେଉଁ ଆବାହମାନ ଯୁଗରୁ ରହିଆସିଛି । ବ୍ରିଟିଶ ସରକାର ଆସିବା ପରେ ଶିକ୍ଷାନୀତି ପ୍ରଚଳିତ ହୋଇଥିଲା। ସେତେବେଳ ଶିକ୍ଷାର ସବୁଠାରୁ ବଡ ଉଦ୍ଦେଶ୍ୟ ଥିଲା, ବ୍ରିଟିଶ ସରକାରଙ୍କ ପାଇଁ କିରାଣୀ ଓ ଅଧିକାରୀ ପ୍ରସ୍ତୁତ କରିବା । ଜ୍ଞାନ ଆହରଣ, ଚରିତ୍ର ଗଠନ ସେହି ଶିକ୍ଷା ପଦ୍ଧତିର ଉଦ୍ଦେଶ୍ୟ ନ ଥିଲା । ଏହି ଶିକ୍ଷା ପଦ୍ଧତି ସ୍ବାଧୀନତା ପରବର୍ତ୍ତୀ ସମୟରେ ବହୁ ବର୍ଷ ଧରି ଚାଲି ଆସିଥିଲା ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦ୍ୟାଳୟର ଉଦ୍ଦେଶ୍ୟ ହେଉଛି ପାଠ ପଢାଇ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢି ସମାଜ ଗଠନର ଗୁରୁ ଦାୟିତ୍ବ ନ୍ୟସ୍ତ କରିବା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଶାସନଭାର ନେଲା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ୨୦୨୦ ମସିହାରେ ମୋଦୀଜୀଙ୍କ ଦିଗ୍‌ଦର୍ଶନରେ ନୂତନ ଶିକ୍ଷାନୀତି ଦେଶରେ ପ୍ରଣୟନ ହୋଇଥିଲା । ଦୁର୍ଭାଗ୍ୟର କଥା, ଆମ ରାଜ୍ୟରେ ଏହି ନୂତନ ଶିକ୍ଷା ନୀତିକୁ ଗତ ସରକାର ଲାଗୁ କରାଇ ନଥିଲେ l ଆଜି ଆମ ସରକାର ଆସିବା ପରେ, ଏହା ଲାଗୁ କରାଯାଇଛି । ସେ ପୁଣି କହିଥିଲେ ଯେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡିଶାରେ ମଧ୍ୟ ନିପୁଣ ଓଡିଶା ମିଶନ ଆରମ୍ଭ କରାଯାଇଛି। ପୂର୍ବ ସରକାରଙ୍କ 5 ଟି ସ୍କୁଲ ଏକ ପ୍ରହସନ ଥିଲା। ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ମୋହନ ସରକାର ଆସିବା ପରେ ଏବେ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ଉତ୍ତମ ଭିତ୍ତିଭୂମି ସହିତ ଗୁଣି ଓ ତାଲିମପ୍ରାପ୍ତ ଶିକ୍ଷକ ପଞ୍ଚାୟତ ସ୍ତରରେ ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କରିବେ । ଆଦିବାସୀ ପିଲାଙ୍କ ଭିତରେ ଡ୍ରପଆଉଟ ହାର କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି l ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବୀ ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟରେ ସାମିଲ କରାଯିବ l ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଏକ ଡି.ପି.ଆର ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସେ କହିଥିଲେ ସ୍କୁଲ ପକ୍ଷରୁ କରାଯାଇଥିବା ସମସ୍ତ ଦାବି ନିଶ୍ଚିତଭାବେ ପୂରଣ କରାଯିବ ।ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ନିର୍ବାଚନ ପୂର୍ବରୁ ଯେଉଁ କଥା ଦେଇଥିଲେ, କଥା ରଖି ସବୁ କାମ କରିଛନ୍ତି । ଚାଷୀ, ମହିଳା, ଯୁବବର୍ଗ, ଗରୀବ – ସମସ୍ତଙ୍କ ପାଇଁ ଆମେ କାମ କରୁଛୁ l ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ। ଗଞ୍ଜାମ ଜିଲ୍ଲାର ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁରକୁ ଆସିବ, ଆପଣ ମାନଙ୍କ ଦାବୀ ଓ ସମସ୍ୟା ଶୁଣିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍କୁଲର ୪ ଜଣ ବର୍ଷୀୟାନ ପୂରାତନ ଛାତ୍ର ଏବଂ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପରିବାର ସଦସ୍ୟଙ୍କୁ ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲା ଓ ରାଜ୍ୟସ୍ତରରେ କୃତୀତ୍ବ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରା ଏହାକୁ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ଛାତ୍ର ରାଧାକୃଷ୍ଣ ନାୟକ ସ୍ବାଗତ ଭାଷଣ ରଖିଥିଲେ l ପ୍ରଧାନଶିକ୍ଷକ ସନ୍ତୋଷ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶିକ୍ଷକ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
error: Content is protected !!