ରୋଟାରୀ ମହାକୁମ୍ଭ ‘ଐରାବତ’ ଉଦଯାପିତ

ଗୋପାଳପୁର,(ବିଚିତ୍ର ସାହୁ):- ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ପ୍ରାନ୍ତପାଳ ରୋଟାରୀୟାନ୍ ଯଜ୍ଞାଶିଷ୍ ମହାପାତ୍ରଙ୍କ ନେତୃତ୍ବରେ ଏକ ତିନିଦିନିଆ ସମ୍ମେଳନ ‘ଐରାବତ’ ସ୍ଥାନୀୟ ଏକ ତାରକା ହୋଟେଲରେ ଆୟୋଜିତ ହୋଇଯାଇଛି। ରୋଟାରୀ ସେବା କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ରୋଟାରୀୟାନ୍ ମାନଙ୍କୁ ପ୍ରେରିତ କରିବା ପାଇଁ ଆୟୋଜିତ ଏହି ସମ୍ମେଳନରେ ରୋଟାରୀ ଆନ୍ତର୍ଜାତୀୟ ସଭାପତି ପ୍ରତିନିଧି ଦୀନେଶ ଶର୍ମା, ରୋଟାରୀ ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଅନିରୁଦ୍ଧ ରାୟଚୋଧୁରୀ, ରୋଟାରୀ ପ୍ରାକ୍ତନ ନିର୍ଦ୍ଦେଶକ ମହେଶ କୋଟବାଗୀ, ପ୍ରାକ୍ତନ ପ୍ରାନ୍ତପାଳ ବାସୁଦେବ ଗୋଲିୟାନ୍(ନେପାଳ), ରାଜୀବ ଶର୍ମା,ମାଧବ ଚନ୍ଦ୍ରନ୍ପ୍ରମୁଖ ଯୋଗଦେଇ ବିଶ୍ଵ ପଟ୍ଟଳରେ ରୋଟାରୀର ଭୂମିକା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଆୟୋଜିତ ବିଭିନ୍ନ ଅଧିବେଶନରେ ଅଧ୍ୟକ୍ଷତା କରି ପ୍ରାନ୍ତପାଳ ଶ୍ରୀ ମହାପାତ୍ର କହିଥିଲେ କି, ରୋଟାରୀ ସେବାକୁ ଅଧିକ ଭରସାଯୋଗ୍ୟ କରିବା ସହ ବଞ୍ଚିତ ବର୍ଗଙ୍କ ପାଖରେ ପହଁଞ୍ଚିବା ପାଇଁ ଚଳିତ ବର୍ଷ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିମଧ୍ୟରେ ସ୍ବାବଲମ୍ବୀ ଯୋଜନା ଅନ୍ତର୍ଗତ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଦେବା, ସମଗ୍ର ଓଡ଼ିଶାରେ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ ତଥା ପରିମଳ,ଆଇନ, ଟ୍ରାଫିକ ସଚେତନତା ସୃଷ୍ଟି ପୂର୍ବକ ଗଣଦୌଡ ଓ କର୍ମଶାଳାର ଆୟୋଜନ ସହିତ ପଚାଶରୁ ଅଧିକ ସ୍କୁଲର ଭିତ୍ତିଭୂମି ସୁଧାରିବାରେ ଆର୍ଥିକ ସହାୟତା ଇତ୍ୟାଦି ଅନ୍ତର୍ଭୁକ୍ତ। ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଦୀପକ୍ ଭୋରା,ସ୍ଥାନୀୟ ସାଂସଦ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି, ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସେହେଜାଦ୍‌ ପୁନାଓ୍ଵାଲା ପ୍ରମୁଖ ଯୋଗଦେଇ ରୋଟାରୀ ପକ୍ଷରୁ ସଂଗଠିତ ଭାବେ ନିଜସ୍ଵ ଉଦ୍ୟମରେ ବିଶ୍ଵବ୍ୟାପୀ ଯୋଗାଇ ଦିଆଯାଉଥିବା ସେବାର ଭୂୟସୀ ପ୍ରଶଂସା କରାଯାଇଥିଲା।ବିଶ୍ବରୁ ପୋଲିଓ ଉନ୍ମୋଳନ କରିବା ଓ ବିକାଶଶୀଳ ରାଷ୍ଟ୍ରରୁ ନିରକ୍ଷରତା ଦୂର କରିବାରେ ରୋଟାରୀର ଭୂମିକା ଅବିସ୍ମରଣୀୟ ବୋଲି ‌ବକ୍ତାମାନେ‌ ମତବ୍ୟକ୍ତ କରିଥିଲେ।ସମ୍ମେଳନ ଅବସରରେ ପ୍ରତ୍ୟେକ ସଂଧ୍ୟାରେ ବଲିଉଡ୍ ଓ ଓଲିଉଡ୍ କଳାକାର ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ତିନି ଦିନିଆ ସମ୍ମେଳନ ଆୟୋଜନରେ ରୋଟାରୀ ଜିଲ୍ଲା ପରିଚାଳନା ମହାସଚିବ ରସାନନ୍ଦ ରାଉତ, ଜିଲ୍ଲା କାର୍ଯ୍ୟନିର୍ବାହୀ ସମ୍ପାଦକ ସୁଶାନ୍ତ ମହାପାତ୍ର, ସମ୍ମେଳନ ଅଧ୍ୟକ୍ଷ ଗଙ୍ଗାଧର ମିଶ୍ର, ମିଡିଆ ସେଲ୍ ଅଧ୍ୟକ୍ଷ ବିଭୂତି ଭୂଷଣ କର, ଅଶୋକ କୁମାର ପଣ୍ଡା, ଇତୁନ୍ ମହାପାତ୍ର,ପ୍ରାକ୍ତନ ସଭାପତି କବି ପ୍ରସାଦ ରାଉତରାୟ, ସୋନାଲି ରଥ, ଉମାଶଙ୍କର ପଟ୍ଟନାୟକ ଇତ୍ୟାଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ସମଗ୍ର ରାଜ୍ୟରୁ ଆଠଶହରୁ ଉର୍ଦ୍ଧ୍ବ ପ୍ରତିନିଧି ଭାଗ ନେଇଥିଲେ।

You might also like
error: Content is protected !!