ମଶା ମାରିବାକୁ ଲକ୍ଷ ଲକ୍ଷ ଖର୍ଚ୍ଚ -ପୀତବାସ
ବ୍ରହ୍ମପୁର, (ରାଜେନ୍ଦ୍ର.ସାହୁ):- ମହାନଗର ନିଗମ ସହରବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ସହରବାସୀ ବର୍ଷ ତମାମ ମଶା କାମୁଡିବା ଦ୍ବାରା ଆକ୍ରାନ୍ତର ଶିକାର ହେଉଥିବା ବେଳେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ନଜରକୁ ଆସୁଛି । ବ୍ରହ୍ମପୁର ମହାନଗର ନିଗମ ସହରବାସୀ ଙ୍କୁ ମଶା ଦାଉରୁ ରକ୍ଷା ପାଇଁ କଣ ପଦକ୍ଷେପ ନେଇଛି ଓ ମଶା ମାରିବା ମେସିନ୍ ଯଥା ଟିଫା ମେସିନ୍ କୁ କେତେ ଦିନ ବାର୍ଷିକ ବ୍ୟବହାର କରାଯାଇଛି । ଏହି ବାବଦରେ କେତେ ଟଙ୍କା ପୌର ପରିଷଦ ଖର୍ଚ୍ଚ କରିଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ଚାହିଁଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ମହାନଗର ନିଗମ ସହରରେ ମଶା ମାରିବା ପାଇଁ ମୋଟ ୬୯ ଲକ୍ଷ ୬୯ ହଜାର ୨୮୩ ଟଙ୍କା ଖର୍ଚ୍ଚ କରିଛି । ଏହି ବିପୁଳ ଧନ ରାଶି ଟିଫା ମେସିନ୍ ରେ ବ୍ୟବହୃତ ହେଉଥିବା ଡିଜେଲ ପାଇଁ ମହାନଗର ନିଗମ ଖର୍ଚ୍ଚ କରିଛି ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୧୯-୨୦ ରେ ସର୍ବନିମ୍ନ ୨୦ଘଣ୍ଟା ମଶା ମାରିବାକୁ ଟିଫା ମେସିନ କୁ ବ୍ୟବହାର କରାଯାଇଥିଲା ଓ ଏଥିପାଇଁ ପନ୍ଦର ଶହ ଲିଟର ଡିଜେଲ୍ ଯାହାର ମୂଲ୍ୟ ୧ଲକ୍ଷ ୧୬ ହଜାର ୪୦ ଟଙ୍କା ପୌର ପରିଷଦ ଖର୍ଚ୍ଚ କରିଛି ।

ସେହିପରି ୨୦୨୩-୨୪ ବର୍ଷ ରେ ପ୍ରାୟ ୪୨୧ ଘଣ୍ଟା ମଶା ମାରିବା ପାଇଁ ଟିଫା ମେସିନ୍ ବୁଲିଥିବା ବେଳେ ଏହି ବାବଦକୁ ୩୧,୫୯୦ ଲିଟର ଡିଜେଲ୍ ଖର୍ଚ୍ଚ କରାଯାଇଛି ,ଯାହାର ମୂଲ୍ୟ ୩୦ଲକ୍ଷ ୩୭ ହଜାର ୬୧ ଟଙ୍କା ବୋଲି ମହାନଗର ନିଗମ ସୂଚନା ଦେଇଛି । ଏତେ ପରିମାଣର ବିପୁଳ ଧନରାଶି ମଶା ମାରିବା ପାଇଁ ପୌର ପରିଷଦ ଖର୍ଚ୍ଚ କରୁଥିବା ବେଳେ ,ସହରବାସୀ ଏଥିରୁ କେତେ ଉପକାର ପାଉଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ଦେଶରେ କରୋନା ଯୋଗୁଁ ୨୦୨୦ ଓ ୨୦୨୧ ରେ ସମସ୍ତ ଜୀବନ ଜିବିକା ଠପ ହୋଇଯାଇଥିଲା ସେତେବେଳେ ମହାନଗର ନିଗମ ମଶା ମାରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସନ୍ଦେହ ସୃଷ୍ଟି କରୁଛି । ବାସ୍ତବରେ ଟିଫା ମେସିନ୍ କୁ ମହାନଗର ନିଗମ ଦେଇଥିବା ତଥ୍ୟ ଅନୁଯାୟୀ ସହରରେ ବୁଲା ଯାଇଛି, କି ‘ଏଥିରେ କିଛି ଗଡ଼ବଡ଼ କରାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ଆଇନଜୀବୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।
