ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ବିଶାଳ ସମାବେଶ
ବ୍ରହ୍ମପୁର, (ବିଚିତ୍ର ସାହୁ) : ସ୍ଥାନୀୟ ହିଞ୍ଜିଳିକାଟୁ ନିକଟସ୍ଥ ସାଉଁଳେଇ ଗ୍ରାମଠାରେ ଥିବା ମାଁ ଶ୍ୟାମଳାଇ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ପକ୍ଷରୁ ଏକ ବିଶାଳ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ, ନୟାଗଡ଼ ଜିଲ୍ଲାର ସମସ୍ତ ଦଣ୍ଡନାଚର ମୁଖ୍ୟ କର୍ମକର୍ତ୍ତା ଓ ଦଣ୍ଡନାଚ ସଂଘ ସହ ସଂଶ୍ଲିଷ୍ଟ ଥିବା ସମସ୍ତ କର୍ମକର୍ତ୍ତାମାନଙ୍କୁ ନେଇ ଏହି ସମାବେଶ ଆୟୋଜନ କରାଯାଇଥିଲା । ଦଣ୍ଡନାଚ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ମହାସମାବେଶ ପାଇଁ ଏକତାର ଆହ୍ୱାନ ସହ ସମସ୍ତଙ୍କ ମିଳିତ ସମାବେଶ ଓ ଆଲୋଚନା ମାଧ୍ୟମରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇ ଏଠାରେ ଉପସ୍ଥାପନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଦଣ୍ଡନାଚ ମହାସଂଘର ସଭାପତି ଶିବରାମ ପ୍ରଧାନ, ସମ୍ପାଦକ ସରୋଜ ଚନ୍ଦ୍ର ସାହୁ, ନରସିଂହ ସାହୁ, ରାଜା ପ୍ରସାଦ ବେହେରା, ନୂଆବସ୍ଷ୍ଟାଣ୍ଡସ୍ଥିତ ଗୋକର୍ଣ୍ଣେଶ୍ୱର ମାଁ ଶ୍ୟାମା ଦଣ୍ଡକାଳୀ ମନ୍ଦିରର ମୁଖ୍ୟ ପୂଜକ ତାରିଣୀ ପ୍ରସାଦ ବେହେରାଙ୍କ ସମେତ ମହାସଂଘର ସମସ୍ତ ମୁଖ୍ୟ କର୍ମକର୍ତ୍ତାମାନେ ଉପସ୍ଥିତଥିଲେ । ଏହି ଅବସରରେ ସର୍ବ ସମ୍ମତି କ୍ରମେ ବ୍ରହ୍ମପୁର ମହାନଗର ସଭାପତି ଭାବେ ଦେବୀ ପ୍ରସାଦ ପଣ୍ଡାଙ୍କୁ ମନୋନୀତ କରାଯିବା ସହ ତାଙ୍କୁ ଉପଢ଼ୌକନ ଓ ପୁଷ୍ପମାଲ୍ୟ ଦେଇ ମହାସଂଘ ତରଫରୁ ସମ୍ମାନୀତ କରାଯାଇଥିଲା ।