ଚନ୍ଦ୍ରପୁର ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଦର୍ଶ ବିଦ୍ୟାଳୟଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାରେ ପ୍ରତି କ୍ଲଷ୍ଟରରୁ ତିନୋଟି ବିଭାଗରେ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଏଫ୍ ଏଲ ଏନ୍ ଶିକ୍ଷକ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ଗୁଡିକୁ ମେଳାରେ ପ୍ରଦର୍ଶିତ କରିଥିଲେ। ଏହି ମେଳାରେ ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମେଳାର ଆନନ୍ଦ ଉଠାଇଥିଲେ। ଏହି ମେଳାରେ ସାକ୍ଷରତା ଷ୍ଟଲରେ କବିତା ପୋଷ୍ଟର, ବଡ଼ ବହି, ଚିତ୍ର ପୋଷ୍ଟର ଏବଂ ଶିକ୍ଷକଙ୍କ ନିମନ୍ତେ ସହାୟକ ପୁସ୍ତିକା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ସଂଖ୍ୟା ଜ୍ଞାନ ଷ୍ଟଲରେ ଗଣିତ କଳିକା ସାମଗ୍ରୀ, କାର୍ଯ୍ୟପୁସ୍ତିକା ଏବଂ ଶିକ୍ଷାଦାନ ଶିକ୍ଷଣ ପୁସ୍ତିକା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା। ସୃଜନାତ୍ମକ ଷ୍ଟଲରେ ଶିକ୍ଷାର୍ଥୀ ବକ୍ତୃତା, ଚିତ୍ରାଙ୍କନ, ଶବ୍ଦ ଖେଳ, କଳା ଓ ହସ୍ତଶିଳ୍ପ (କ୍ଲେ କାର୍ଯ୍ୟ ଏବଂ ଖେଳନା ପ୍ରସ୍ତୁତି) ଏବଂ ସୃଜନଶୀଳ ଲିଖନ ଭଳିକାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଉକ୍ତ ମେଳାରେ ଜିଲ୍ଲାପରିଷଦ ମେମ୍ବର ଶ୍ରୀ ସୁଜିତ ବ୍ରେକବେଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସିଡିପିଓ ଗୀତ।ରାଣୀ ସାହୁ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଅଭିଭାଷଣରେ କହିଥିଲେ ନିପୁଣ ଓଡ଼ିଶା ମେଳା ପ୍ରଥମ ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଅମୂଲ୍ୟ ବରଦାନ। ଶିକ୍ଷା ବିଭାଗରେ ଏଭଳି ଅଭିନବ ପ୍ରୟାସ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହାକୁ ଆମେ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ଆଣିବାକୁ ପ୍ରୟାସ କରିବାକୁ ହେବ। ଚନ୍ଦ୍ରପୁର ମେଡିକାଲ ଅଫିସର ଡ଼. କେ ଡି ମଲ୍ଲିକ ଓ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାଳିନ୍ଦୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିପୁଣ ମେଳା କିପରି ଶିକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ। ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଣେଷ ଶବର ସଭାପତିତ୍ବ ଭାର ଗ୍ରହଣ କରି ଥିବାବେଳେ ଆଠଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ ପ୍ରକଳ୍ପ ଗୁଡ଼ିକୁ ପୂର୍ବତନ ଆଠଗୋଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୂଲ୍ୟାୟନ ଦାୟିତ୍ବ ନିର୍ବାହ କରି ତିନୋଟି ଉତ୍ତମ ପ୍ରକଳ୍ପ ଗୁଡ଼ିକୁ ଜିଲ୍ଲା ସ୍ତରକୁ ମନୋନୀତ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସିଙ୍ଗନା ତାଡିଙ୍ଗ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବାଳକୃଷ୍ଣ ବିହାରୀ ଉକ୍ତ ମେଳାକୁ ପରିଚାଳନା କରିଥିଲେ।ଉକ୍ତ ମେଳାଟି ବହୁ ଆଡ଼ମ୍ବର ପୂର୍ଣ୍ଣ ହୋଇଥିଲା।